ଜୀନତଙ୍କୁ ଭେଟିଲା ପରେ ବଦଳିଗଲା ସୁପରଷ୍ଟାରଙ୍କ ଭାଗ୍ୟ, ସଂଘର୍ଷ ଦିନକୁ ମନେ ପକାଇ ଏବେବି କାନ୍ଦନ୍ତି ମିଥୁନ

ମୁମ୍ବାଇ: ଦିନେ ଶ୍ୟାମଳ ରଂଗ ପାଇଁ ଲୋକମାନେ ତାଙ୍କୁ ଥଟା ପରିହାସ କରୁଥିଲେ । ଆଜି ସେ ତାଙ୍କ ଅଭିନୟରୁ ଅଧିକ ନୃତ୍ୟ ଶୈଳୀ ପାଇଁ ଅନେକ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ତାଙ୍କର ସୁପରଷ୍ଟାର ହେବାର ଯାତ୍ରା ଏତେ ସହଜ ନଥିଲା । ସେ ହେଉଛନ୍ତି ବଲିଉଡର ଡିସ୍କୋ ଡାନସର ମିଥୁନ ଚକ୍ରବର୍ତ୍ତୀ ।

ନିକଟରେ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଏକ ସାକ୍ଷାତକାରରେ ମିଥୁନ କହିଥିଲେ କ୍ୟାରିୟରର ଖରାପ ସମୟରେ ଜୀନତ ଅମାନ୍ ତାଙ୍କୁ ସହଯୋଗ କରିଥିଲେ । ୧୯୭୬ ମସିହାରେ ମିଥୁନ ‘ମୃଗୟା’ ଫିଲ୍ମରୁ ଡେବ୍ୟୁ କରିଥିଲେ । ପ୍ରଥମ ଫିଲ୍ମ ପାଇଁ ତାଙ୍କୁ ନ୍ୟାସନାଲ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହା ପରେ ଅନେକ ହିଟ୍ ଫିଲ୍ମ ଦେବା ପରେ ମଧ୍ୟ ତାଙ୍କ ଫିଲ୍ମ କ୍ୟାରିୟରକୁ ଯେମିତି ଗ୍ରହଣ ଲାଗିଯାଇଥିଲା । ତାଙ୍କ ସହ କୌଣସି ଅଭିନେତ୍ରୀ କାମ କରିବା ପାଇଁ ଚାହୁଁନଥିଲେ । ଏହା ବ୍ୟତୀତ ତାଙ୍କ ଶ୍ୟାମଳ ରଂଗକୁ ନେଇ ମଧ୍ୟ ଥଟା ପରିହାସ କରାଯାଉଥିଲା । କିନ୍ତୁ ସେ ସବୁ କଥାରୁ ସେ କେବେ ଭାଙ୍ଗିପଡ଼ିନଥିଲେ । ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର ଭଳି ଅଭିନେତାଙ୍କ ଗହଣରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମିଥୁନଙ୍କ ପାଇଁ ସହଜ ନଥିଲା । ୧୯୮୨ରେ ମିଥୁନ ‘ଡିସ୍କୋ ଡାନ୍ସର’ ଫିଲ୍ମରେ ଦର୍ଶକଙ୍କୁ ତାଙ୍କ ଅଭିନୟ ଓ ନୃତ୍ୟ ବେଶ ପସନ୍ଦ ଆସିଥିଲା । ଏହା ପରେ ୧୯୮୩ରେ ରିଲିଜ ହୋଇଥିବା ଫିଲ୍ମ ‘ତକଦୀରରେ’ ଜୀନତ ଅମାନଙ୍କ ସହ ମିଥୁନଙ୍କୁ ଅଭିନୟ କରିବାର ସୁଯୋଗ ମିଳିଲା । ମିଥୁନଙ୍କୁ ଦେଖି ଜୀନତ ତାଙ୍କୁ ହ୍ୟାଣ୍ଡସମ୍ ଓ ଗୁଡଲୁକିଂ ବୋଲି କହିଥିଲେ । ଏହି ଫିଲ୍ମରେ ଶତ୍ରୁଘ୍ନ ସିହ୍ନା ମୁଖ୍ୟ ଭୂମିକାରେ ଥିଲେ । ବକ୍ସ ଅଫିସରେ ଏହି ଫିଲ୍ମ ସୁପରହିଟ୍ ହୋଇଥିଲା । ଏହା ପରେ ଧିରେ ଧିରେ ବଡ଼ ବଡ଼ ଅଭିନେତ୍ରୀମାନେ ତାଙ୍କ ସହ ଫିଲ୍ମ ସାଇନ୍ କରିଥିଲେ । କ୍ୟାରିୟରକୁ ନୂତନ ଦିଗ ଦେଇଥିବାରୁ ସେ ଜୀନତ ଅମାନଙ୍କ ପାଖରେ ସବୁ ଦିନ ପାଇଁ କୃତଜ୍ଞ ରହିବେ ବୋଲି ମିଥୁନ କୁହନ୍ତି । ୧୯୮୯ରେ ମିଥୁନଙ୍କ ମୋଟ୍ ୧୯ଟି ଫିଲ୍ମ ରିଲିଜ ହୋଇଥିବାରୁ ସେହି ବର୍ଷ ତାଙ୍କ ନାଁ ‘ଲିମକା ବୁକ୍ ଅଫ୍ ରେକର୍ଡ’ରେ ରେକର୍ଡ କରାଯାଇଥିଲା ।