ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି)ଗୁଡ଼ିକର ଚତୁର୍ଥ ପର୍ଯ୍ୟାୟ ମିଶ୍ରଣ କରିବା ଓ ଗୋଟିଏ ରାଜ୍ୟରେ ଗୋଟିଏ ଗ୍ରାମ୍ୟ ବ୍ୟାଙ୍କ ସ୍ଥାପନ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏପରି ହେଲେ ବର୍ତ୍ତମାନ ଦେଶରେ ରହିଥିବା ଆଞ୍ଚଳିକ ବ୍ୟାଙ୍କ ସଂଖ୍ୟା ୪୩ରୁ ୨୮କୁ ହ୍ରାସ ପାଇବ । ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ବିଚାରବିମର୍ଶ ପରେ କେନ୍ଦ୍ର ସରକାର ‘ଗୋଟିଏ ରାଜ୍ୟ- ଗୋଟିଏ ଆରଆରବି’ ପାଇଁ ନକ୍ସା ପ୍ରସ୍ତୁତ କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କର ଯଦି ଏଭଳି ଯୋଜନା କାର୍ଯ୍ୟକାରୀ ହୁଏ, ତା’ହେଳେ ଓଡ଼ିଶାରେ ରହିଥିବା ଦୁଇଟି ଗ୍ରାମ୍ୟ ବ୍ୟାଙ୍କ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ (ୟୁଜିବି)କୁ ମିଶ୍ରଣ କରାଯିବ । ତେବେ ଏପରି ସ୍ଥଳେ ଅନେକ ଗ୍ରାହକ ଏହାକୁ ନେଇ ଏବେ ଚିନ୍ତାରେ ରହିଛନ୍ତି । ପୂର୍ବରୁ ଦେଶର ବିଭିନ୍ନ ପବ୍ଲିକ ସେକ୍ଟର ବ୍ୟାଙ୍କର ମିଶ୍ରଣ କରାଯାଇଥିଲା । ସେ ସମୟରେ ଗ୍ରାହକଙ୍କର କୌଣସି ଅସୁବିଧା ହୋଇ ନଥିଲା । ତେଣୁ ଓଜିବି ଓ ୟୁଜିବିର ମିଶ୍ରଣ ହେଲେ ଗ୍ରାହକଙ୍କର ବ୍ୟାଙ୍କର କୌଣସି ଅସୁବିଧା ହେବ ନାହିଁ । ବ୍ୟାଙ୍କର ନାମ ପରିବର୍ତ୍ତନ ହୋଇପାରେ ।
କେନ୍ଦ୍ର ସରକାର ୧୫ଟି ବ୍ୟାଙ୍କକୁ ବନ୍ଦ କରିବାକୁ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏପରି ସ୍ଥିତିରେ ବିଭିନ୍ନ ରାଜ୍ୟରେ ଥିବା ୧୫ଟି ବ୍ୟାଙ୍କ ଅନ୍ୟ ବ୍ୟାଙ୍କ ସହ ବିଲୟ ହେବାକୁ ଯାଉଥିବା ବେଳେ ଓଡ଼ିଶାର ଦୁଇଟି ବ୍ୟାଙ୍କ ମର୍ଜର ହୋଇପାରେ । ୨୦୪-୨୫ରେ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି)ର ଷ୍ଟ୍ରକଚରାଲ କନସୋଲିଡେସନ କରିଥିବା ବେଳେ ୩ଟି ପର୍ଯ୍ୟାୟରେ ମର୍ଜର ମାଧ୍ୟମରେ ୨୦୨୦-୨୧ ପର୍ଯ୍ୟନ୍ତ ଏହି ବ୍ୟାଙ୍କ ସଂଖ୍ୟା ୧୯୬ରୁ ହ୍ରାସ ପାଇ ୪୩ରେ ପହଞ୍ଚିଛି । ଏବେ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ତରଫରୁ ଚତୁର୍ଥ ପର୍ଯ୍ୟାୟ ମର୍ଜର ପ୍ରକ୍ରିୟା ଆରମ୍ଭ ହୋଇଛି । ଏପରି ସ୍ଥିତିରେ ବର୍ତ୍ତମାନ ରହିଥିବା ୪୩ଟି ଆରଆରବି ସଂଖ୍ୟା ୨୮ ହେବାର ସମ୍ଭାବନା ରହିଛି । ମନ୍ତ୍ରଣାଳୟ ଅନୁସାରେ, ବିଭିନ୍ନ ରାଜ୍ୟରେ ଥିବା ୧୫ଟି ଗ୍ରାମ୍ୟ ବ୍ୟାଙ୍କର ବିଲୟ କରାଯିବ । ଏହି କ୍ରମରେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୪ଟି, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ୩ଟି ଲେଖାଏଁ, ବିହାର, ଗୁଜରାଟ, ଜମ୍ମୁ-କଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଓ ରାଜସ୍ଥାନରେ ୨ଟି ଲେଖାଏଁ ବ୍ୟାଙ୍କର ମର୍ଜର କରାଯିବ ।