ଚନ୍ଦାପଣକୁ ନେଇ ପ୍ରତିଯୋଗିତା ! ପଛରେ ରହିଗଲେ ଏହି ଦୁଇ ଫେମସ ସେଲିବ୍ରିଟି

ଲଣ୍ଡନ: ଚନ୍ଦାପଣ ବର୍ତ୍ତମାନ ସମୟରେ ଏକ ବଡ଼ ସମସ୍ୟା ପାଲଟିଛି । କାରଣ ଏହା ମୁଖ ସୌନ୍ଦର୍ଯ୍ୟକୁ ପ୍ରଭାବିତ କରୁଛି । ଏ ସମସ୍ୟାକୁ ଦୂର କରିବା ପାଇଁ ଆଜିକାଲି ବଜାର ଏବଂ ଅନଲାଇନରେ ବହୁତ ପ୍ରକାର ପ୍ରଡକ୍ଟ ମିଳୁଛି । ତେବେ ଏହି ଚନ୍ଦାପଣ ପାଇଁ ଏବେ ବ୍ରିଟିଶ ରାଜକୁମାର ଖବର ପାଲଟିଛନ୍ତି । ନିଜ ଚନ୍ଦାପଣ ପାଇଁ ସେ ବିଶ୍ୱରେ ସବୁଠୁ ଆକର୍ଷଣୀୟ ଚନ୍ଦାର ମାନ୍ୟତା ପାଇଛନ୍ତି ।

ବ୍ରିଟେନ୍ ଯୁବରାଜ ୱିଲିୟମଙ୍କୁ ଚଳିତ ବର୍ଷର ସବୁଠୁ ଆକର୍ଷଣୀୟ ଚନ୍ଦା ପୁରୁଷ ଭାବେ ନାମିତ କରାଯାଇଛି । ସର୍ଚ୍ଚ ମାର୍କେଟିଂ ଏଜେନ୍ସି ରିବୁଟ ପକ୍ଷରୁ ବୁଧବାର ଏହି ଘୋଷଣା କରାଯାଇଛି । ଲଗାତର ଦ୍ୱିତୀୟ ଥର ପାଇଁ ୱିଲିୟମ ଏହି ଟାଇଟଲ ବଜାୟ ରଖିଛନ୍ତି । ସେହିପରି କ୍ରମାଗତ ୩ୟ ଥର ପାଇଁ ବୈଜ୍ଞାନିକ ପଦ୍ଧତିରେ ଅଧ୍ୟୟନ କରାଯାଇ ଏହି ଟାଇଟଲର ବିଜେତା ଘୋଷଣା କରାଯାଇଥିବା ନେଇ ରିବୁଟର ୱେବସାଇଟରେ ସୂଚନା ଦିଆଯାଇଛି । ଷ୍ଟଡି ଅନୁଯାୟୀ, ୧୦ରୁ ୯.୮୬ ସ୍କୋର ସହ ପ୍ରିନ୍ସ ୱିଲିୟମ ସବୁଠୁ ଆକର୍ଷଣୀୟ ଚନ୍ଦା ପୁରୁଷମାନଙ୍କ ତାଲିକାର ଶୀର୍ଷରେ ଅଛନ୍ତି । ଆମେରିକୀୟ ଅଭିନେତା ତଥା ପ୍ରଫେସନାଲ ରେସଲର ଡୱେନ ଜନସନ ଓ ଆମେରିକୀୟ ବାସ୍କେଟବଲ ଖେଳାଳି ସକିଲ ଓ’ନିଲ ଯାଥାକ୍ରମେ ୮.୮୮ ଓ ୮.୮୪ ସ୍କୋର ସହ ଉକ୍ତ ତାଲିକାର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।