ଏପଟେ ବଢ଼ୁଛି ଫାଷ୍ଟଫୁଡ୍ ଚାହିଦା, ସେପଟେ ବଢ଼ୁଛି ମେଡିକାଲ ବିଲ୍….ସୁସ୍ଥ ରହିବା ପାଇଁ ଫ୍ରୋଜେନ୍ ଖାଦ୍ୟକୁ କରନ୍ତୁ ବାଏ ବାଏ
(ଓଡିଶା ଭାସ୍କର ): ଖାଇବାର ରୁଚି ବଦଳିଯାଇଛି । ପିଲାମାନେ ଘର ତିଆରି ଖାଦ୍ୟ ଅପେକ୍ଷା ଫାଷ୍ଟଫୁଡ୍ ଆଡ଼କୁ ବେଶୀ ଢଳିବାରେ ଲାଗିଛନ୍ତି । ବଜାରରେ ନାନା ରକମର ଫାଷ୍ଟଫୁଡ୍ ବିକ୍ରି ବେହାରେ ଲାଗିଛି, ଯାହାର ଚାହିଦା ମଧ୍ୟ ବେଶ୍ ଅଧିକ ରହିଛି । କ’ଣ ଆପଣ ଜାଣିଛନ୍ତି, ଫାଷ୍ଟଫୁଡ୍ ଭାବେ ଆଦୃତ ବର୍ଗର ଆମ ଶରୀର ପାଇଁ କେତେ ମାରାତ୍ମକ? ଲୋକଙ୍କ ପକେଟ୍ ଫ୍ରେଣ୍ଡଲି କରିବା ପାଇଁ ଆଜିକାଲି ଶସ୍ତା ବର୍ଗର ମଧ୍ୟ ବଜାରରେ ଉପଲବ୍ଧ । ତେବେ ଚାଲନ୍ତୁ ଜାଣିବା ବର୍ଗ ଭଳି ଫାଷ୍ଟଫୁଡ୍ ଖାଇଲେ ଆମ ଶରୀରରେ କି ପ୍ରଭାବ ପଡ଼ୁଛି ।
ସମସ୍ତେ ଜାଣିଛେ, ବର୍ଗରରେ ବିଭିନ୍ନ ପ୍ରକାର ପରିବା ପଡ଼ିଥାଏ । କିନ୍ତୁ ଶସ୍ତା ବର୍ଗରରେ ବ୍ୟବହାର ହେଉଥିବା ପରିବା ସେତେ ଭଲ ନ ଥାଏ । ବର୍ଗରର ମୂଲ୍ୟ ଯେହେତୁ କମ୍ ଥାଏ ସେଥିରେ ନିହାତି ଭାବେ କମ୍ ପରିବା କିମ୍ବା ଖରାପ ପରିବାକୁ ଦୋକାନୀ ବ୍ୟବହାର କରୁଥିବେ । ସେହିପରି ଭାବେ ବର୍ଗରରେ ଥିବା ପେଟିଜ୍ ବା ଟିକ୍କିକୁ ଖାଇବା ପାଇଁ ଅଧିକାଂଶ ଲୋକ ପସନ୍ଦ କରନ୍ତି । କିନ୍ତୁ ସେହି ଟିକ୍କିକୁ ଗରମ କରିବା ପାଇଁ କେଉଁ ତେଲ ବ୍ୟବହାର ହେଉଛି ଏବଂ ବ୍ୟବହାର ହେଉଥିବା ତେଲ ପୂର୍ବରୁ କେତେଥର ବ୍ୟବହାର ହୋଇସାରିଛି ତାହା କ’ଣ ଆପଣ ଜାଣନ୍ତି? ଶସ୍ତା ବର୍ଗର ହେଉ ଅବା ମହଙ୍ଗା । ବର୍ଗର ଆମ ଶରୀର ପକ୍ଷେ କ୍ଷତିକାରକ । କାରଣ ଏଥିରେ ବ୍ୟବହାର ହେଉଥିବା ପ୍ରତିଟି ଜିନିଷ ଫ୍ରୋଜେନ୍ ଥାଏ । ଅର୍ଥାତ୍ ବହୁ ଦିନରୁ ତିଆରି ହୋଇ ଫ୍ରିଜ୍ରେ ବହୁତ ଦିନ ରଖାଯାଏ । ବାସି ଖାଦ୍ୟ ଆମ ଶରୀର ପାଇଁ ଆଦୌ ଭଲ ନୁହେଁ । ସେଥିପାଇଁ ବର୍ଗରରେ ବ୍ୟବହାର ହେଉଥିବା ଫ୍ରୋଜେନ ଜିନିଷ ଆମ ଶରୀରକୁ କ୍ଷତି ପହଁଞ୍ଚାଇ ଥାଏ । ଶରୀର ପାଇଁ କ୍ଷତିକାରକ ମଇଦା, ତେଲର ବ୍ୟବହାର ଫଳରେ ଶରୀରରେ କୋଲେଷ୍ଟେରଲ, ସୁଗାର , ବ୍ଲଡ୍ ପ୍ରେସର ବଢ଼ିବାର ଆଶଙ୍କା ମଧ୍ୟ ରହିଛି ।
ବର୍ତ୍ତମାନ ସମୟରେ ଛୋଟ ଛୋଟ ପିଲା ସବୁ ମଧୁମେହ ଭଳି ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ତା’ର କାରଣ ହେଉଛି ଫାଷ୍ଟଫୁଡ୍ । ବିଗତ ବର୍ଷ ତୁଳନାରେ ବର୍ତ୍ତମାନ ସମୟର ଶିଶୁ ବେଶୀ ରୋଗିଣା ହେବାର କାରଣ ବାହାର ଖାଦ୍ୟ । ସେମାନେ ବିଶେଷ କରି ଫ୍ରୋଜେନ୍ ଜିନିଷ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି । ଯାହାଫଳରେ କମ୍ ବୟସର ପିଲା ବିଭିନ୍ନ ପ୍ରକାର ଯେମିତି, ଓବେସିଟି, ସୁଗାର, କିଡନୀ, ହୃତପିଣ୍ଡ ଜନୀତ ରୋଗର ଶିକାର ହେଉଛନ୍ତି । ଶସ୍ତା ଜିନିଷ ଖାଇବା ଦ୍ୱାରା ମହଙ୍ଗା ରୋଗରେ ପଡ଼ୁଛନ୍ତି ଆଜିର ଯୁବପିଢ଼ି । ପାଟି ସୁଆଦିଆ କରିବା ପାଇଁ ପରବର୍ତ୍ତୀ ମୁହୂର୍ତ୍ତରେ ଶରୀରକୁ ଭଲ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ହସ୍ପିଟାଲରେ ଖର୍ଚ୍ଚ କରିବାକୁ ପଡ଼ୁଛି ।