ନୂଆଦିଲ୍ଲୀ- ଧରତୀ ଆବା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଦିଲ୍ଲୀରେ ବିର୍ସାମୁଣ୍ଡାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ସ୍ୱରଷ୍ଟ୍ରମନ୍ତ୍ରୀ ଅମିତ ସାହ । ଏହି ପ୍ରତିମୂର୍ତ୍ତି ନୂଆଦିଲ୍ଲୀର ସରେଇକାଲା ବାନସେରା ପାର୍କରେ ସ୍ଥାପିତ ହୋଇଛି । ଏହି ମୂର୍ତ୍ତିର ଉଚ୍ଚତା ୨୦ ଫୁଟ ଓ ଏହାର ଓଜନ ୩୦୦୦ କିଲୋ । ଆଗାମୀ ଦିନରେ ଏହି ଆଦିବାସୀ ବୀରଙ୍କ ଜୟନ୍ତୀକୁ ଦେଶବ୍ୟାପୀ ପ୍ରଚାର ପ୍ରସାର ପାଇଁ ଯୋଜନା କରିଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ଜନ ଜାତୀୟ ଗୌରବ ଦିବସ ।
ବିପ୍ଲବୀ ସହିଦ ବିର୍ସା ମୁଣ୍ଡାଙ୍କ ୧୫୦ ତମ ପୂଣ୍ୟ ଜୟନ୍ତୀ ଅବସରରେ ଜନତା ମଇଦାନରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ଜନ ଜାତୀୟ ଗୌରବ ଦିବସ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୀରପୁତ୍ରଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଭାସୀ ମାଧ୍ୟମରେ ଯୋଗ ଦେଇ ସଭାକୁ ସମ୍ବୋଧିତ କରିଛନ୍ତି।
କାର୍ୟ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସମ୍ମାନନୀୟ ଅତିଥି ଭାବେ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଭେଙ୍କଟେଶ ଯୋଶୀ, କେନ୍ଦ୍ର ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାଏକ, ମାନ୍ୟବର ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଉପସ୍ଥିତ ରହିଥିଲେ । ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ କାର୍ୟ୍ୟକ୍ରମରେ ୧୦ ହଜାରରୁ ଉର୍ଦ୍ଧ୍ଵ ଜନସାଧାରଣଙ୍କ ସମାଗମ ହୋଇଛି । ଧରଣୀ ମାର ଏହି ବୀର ପୁତ୍ରଙ୍କ ପାଇଁ ଆୟୋଜିତ ଏହି ଉତ୍ସବକୁ ନେଇ ଜନଜାତିଙ୍କ ମଧ୍ୟରେ ଉତ୍ସାହ ହେଖିବାକୁ ମିଳିଛି ।
ସୂଚନା ଯୋଗ୍ୟ, ବିପ୍ଲବୀ ସହିଦ ବିର୍ସା ମୁଣ୍ଡାଙ୍କ ୧୫୦ ତମ ପୂଣ୍ୟ ଜୟନ୍ତୀ ଅବସରରେ ୨୦୨୫ ମସିହାକୁ ଜନଜାତି ଗୌରବ ବର୍ଷ ରୂପେ ପାଳନ କରିବା ନିମନ୍ତେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହିକ୍ରମରେ ନଭେମ୍ବର ୧୫ ତାରିଖରେ ଓଡ଼ିଶାର ୨୭ଟି ଜିଲ୍ଲାର ୨୩୪ଟି ବ୍ଲକରେ ଥିବା ୨୪୦୮ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭୬୬୭ଟି ଆଦିବାସୀ ବହୁଳ ରାଜସ୍ୱ ଗ୍ରାମରେ ସ୍ଵତନ୍ତ୍ର ପଲ୍ଲୀସଭା ଆୟୋଜନ କରାଯିବ । ଏହାସହିତ ଜଙ୍ଗଲ ଅଧିକାର ଆଇନ ୱେବ୍ ପୋର୍ଟାଲର ଶୁଭାରମ୍ଭ କରାଯାଇ ପଟ୍ଟା ଆବଣ୍ଟନ କରାଯିବ । ଏହାସହିତ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯିବ ।
ବର୍ଷ ବ୍ୟାପୀ ଏହି କାର୍ୟ୍ୟକ୍ରମରେ ଆଦିବାସୀ ହସ୍ତତନ୍ତ ଓ ହସ୍ତଶିଳ୍ପର ସମ୍ବଳିତ ବିଭିନ୍ନ କାର୍ୟ୍ୟକ୍ରମ, ଆଦିବାସୀ ହସ୍ତଶିଳ୍ପୀ ମାନଙ୍କ ବିଭିନ୍ନ ଉତ୍ପାଦର ପ୍ରସାର ଓ ମାର୍କେଟିଂ ପାଇଁ କାର୍ୟ୍ୟକ୍ରମ, ସିକିଲ ସେଲ୍ ଆନାମିଆ ରୋଗ ସମ୍ପର୍କରେ ସଚେତନତା, ଆଦିବାସୀ କବି ଓ ଲେଖକ ମାନଙ୍କ ସମ୍ମିଳନୀ, ଜଙ୍ଗଲ ଅଧିକାର ଆଇନ ଉପରେ ୱାର୍କସପ୍, ଆଦିବାସୀ ମାନଙ୍କ ପାରମ୍ପରିକ ସ୍ଵାସ୍ଥ୍ୟସେବା ଜ୍ଞାନର ପ୍ରଚାର ପାଇଁ ସମ୍ମିଳନୀ ଇତ୍ୟାଦିର ଆୟୋଜନ କରାଯିବ । ଏହାସହିତ ବିଭିନ୍ନ ବିଭାଗ ପକ୍ଷରୁ ଅନ୍ୟାନ୍ୟ କାର୍ୟ୍ୟକ୍ରମମାନ ମଧ୍ୟ ପ୍ରସ୍ତୁତ କରାଯିବ