ଏ କି ପରମ୍ପରା, ବାହା ପରେ ସଧବାକୁ ଭାଙ୍ଗିବାକୁ ହୁଏ ଶଙ୍ଖ

ଓଡିଶା ଭାସ୍କର- ସଧବାର ପ୍ରତୀକ ହାତରେ ଚୁଡି, ମଥାରେ ସିନ୍ଦୁର ପାଦ ଅଙ୍ଗୁଳିରେ ଝୁଣ୍ଟିଆ । ବିବାହ ପରେ ପ୍ରତି ସଧବା ହିନ୍ଦୁ ମହିଳାଙ୍କ ପାଇଁ ଏହା ବାଧ୍ୟବାଧକତା । ଆଉ ସ୍ୱାମୀଙ୍କ ମୃତ୍ୟୁ ପରେ ଏସବୁକୁ ଓହ୍ଲାଇବାକୁ ହୁଏ ମହିଳାଙ୍କୁ । ହେଲେ ଏମିତି ଏକ ଗାଁ ରହିଛି, ଯେଉଁଠି ବିବାହ ପରେ ଶାଶୁ ଘରକୁ ଯିବା ଆଗରୁ ନବବିବାହିତା ତା ହାତରୁ ଚୁଡି ଓ ଶଙ୍ଖା ଭାଙ୍ଗିଦିଏ ।

ବହୁଧା ବିଭିଧତାରେ ପରିପୂର୍ଣ୍ଣ ଭାରତ । ସ୍ଥଳ ବିଶେଷରେ ଏହା ନିୟମ, କାନୁନ, ଆଦବ, କାଇଦାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ସେମିତି ଏକ ନିୟମ ହେଉଛି ଚୁଡି ଭଙ୍ଗା ପରମ୍ପରା । ବିବାହ ପରେ ଝିଅଟି ହାତରେ ଚୁଡି ପିନ୍ଧାଇ ଦିଆଯାଏ । ହେଲେ ଏମିତି ଗୋଟିଏ ଗାଁ ରହିଛି, ଯେଉଁଠି ହାତର ଚୁଡିକୁ ନବବିବାହିତାର ଭଙ୍ଗାଯାଏ । ଏହି ଗାଁଟି ରହିଛି ଆମ ଓଡିଶାରେ ।

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ମାରତିଙ୍ଗ ଗାଁ ଆଦିବାସୀମାନେ ଏହି ପରମ୍ପରା ପାଳନ କରନ୍ତି । ଆଦିବାସୀଙ୍କ ପୂଜାରେ ରହିଛି ଅନେକ ସ୍ୱାତନ୍ତ୍ରତା । ଏମାନଙ୍କର ଅଧିଷ୍ଟାତ୍ରୀ ହେଉଛନ୍ତି ପିତାବଳୀ ଠାକୁରାଣୀ । ଏକ ବରଗଛ ମୂଳରେ ମା’ଙ୍କ ଆସ୍ଥାନ । ମାଆଙ୍କ ଉପରେ ରହିଛି ସ୍ଥାନୀୟ ଲୋକଙ୍କ ଅଖଣ୍ଡ ବିଶ୍ୱାସ । ଏମାନଙ୍କର ବିଶ୍ୱାସ କଳା ବସ୍ତ୍ର ପରିଧାନ, କଳା ପଶୁ, ପକ୍ଷୀ ପାଳନ ଓ ସଧବାଙ୍କ ହାତରେ କାଚ ଚୁଡି ଅଶୁଭର ପ୍ରତୀକ । କେହି ଏହାକୁ ପାଳନ ନ କଲେ ପରିବାରର ଅନେକ ଅନିଷ୍ଟ ହୁଏ । ତେଣୁ କାହିଁ କେଉଁ କାଳରୁ ଏଠାକାର ଆଦିବାସୀମାନେ ବିବାହ ପରେ ଶାଶୁ ଘରକୁ ଆସିବା ଆଗରୁ ଝିଅ ହାତରେ ଥିବା କାଚ ଚୁଡି ଓ ଶଙ୍ଖା ଭାଙ୍ଗିଥାନ୍ତି ଓ ରସର ଚୁଡି ବା ପ୍ଲାଷ୍ଟିକ ଚୁଡି ପିନ୍ଧାଇଥାନ୍ତି ।

ଖାଲି ଏତିକି ନୁହେଁ, ବର୍ଷା ସମୟରେ ଗ୍ରାମର ଲୋକେ କଳା ରଙ୍ଗର ଛତା ମଧ୍ୟ ବ୍ୟବହାର କରନ୍ତି ନାହିଁ । ଏମିତି କଲେ ଦେବୀ ଅସନ୍ତୁଷ୍ଟ ହେବେ ବୋଲି ସେମାନଙ୍କର ବିଶ୍ୱାସ ରହିଛି ।