(Video) ବିଶ୍ୱ ଦେଖିବ ବିଗ୍ ବକ୍ସିଂ ଫାଇଟ୍: ମହାମୁକାବିଲା ପୂର୍ବରୁ ଜେକ୍ ପଲଙ୍କୁ ଚାପୁଡ଼ା ମାରିଲେ ମାଇକ୍ ଟାଇସନ୍

ନୂଆଦିଲ୍ଲୀ: ସାରା ବିଶ୍ୱବାସୀ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ଦୁଇ ହେଭିୱେଟ ବକ୍ସରଙ୍କ ମଧ୍ୟରେ ଆଜି ମହାମୁକାବିଲା ଆରମ୍ଭ ହେବ । ବିଶ୍ୱର ଅନ୍ୟତମ ମହାନ୍ ବକ୍ସର ମାଇକ୍ ଟାଇସ୍ ଦୀର୍ଘ ୧୯ ବର୍ଷ ପରେ ପେଶାଦାର ବକ୍ସିଂ ରିଙ୍ଗକୁ ଓହ୍ଲାଇବେ । ବିଶିଷ୍ଟ ଅଭିନେତା ତଥା ବକ୍ସର ଜେକ ପଲଙ୍କ ସହ ଟାଇସନଙ୍କର ମହାଲଢ଼େଇ ହେବ । ତେବେ ଏହି ମୁକାବିଲା ଆରମ୍ଭ ପୂର୍ବରୁ ପ୍ରତିପକ୍ଷ ପଲଙ୍କୁ ଟାଇସନ୍ ଏକ ଥପଡ଼ ମାରିଦେଇଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

୫୮ ବର୍ଷୀୟ ଟାଇସନ ଓ ୨୭ ବର୍ଷୀୟ ପଲଙ୍କ ମଧ୍ୟରେ ହେବାକୁ ଥିବା ଏହି ବିଗ୍ ଫାଇଟ୍ ଇତିହାସ ରଚିବ । ଟେକ୍ସାସର ଅଲିଙ୍ଗଟନରେ ଏଟି ଆଣ୍ଡ ଟି ଷ୍ଟାଡିୟମରେ ଏହି ବକ୍ସିଂ ଲଢ଼େଇ ଆୟୋଜିତ ହେବ । ଏହି ଫାଇଟ୍ ଆରମ୍ଭ ହେବାକୁ ଆଉ କମ୍ ବାକି ଥିବା ବେଳେ ଦର୍ଶକଙ୍କ ରୋମାଞ୍ଚ ବଢ଼ିବାରେ ଲାଗିଛି । ତେବେ ଫାଇଟ୍ ଆରମ୍ଭ ପୂର୍ବରୁ ଦୁଇ ବକ୍ସର ମୁହାଁମୁହିଁ ହୋଇଥିବା ବେଳେ ଏହି ଅବସରରେ ଟାଇସନ ପଲଙ୍କୁ ଏକ ଚାପୁଡ଼ା ମାରିଥିବା ଭିଡିଓ ଭାଇରାଲ ହୋଇଛି । ୨୦୦୫ ମସିହା ପରଠାରୁ ଟାଇସନ୍ କୌଣସି ପେଶାଦାର ମୁକାବିଲା ଲଢ଼ି ନଥିବାରୁ ଏହି ଲଢ଼େଇକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ରୋମାଞ୍ଚ ଭରି ରହିଛି । ଟାଇସଙ୍କ ପେଶାଦାର ରେକର୍ଡ ୫୦-୬ ରହିଥିବା ବେଳେ ସେଥିରେ ୪୪ଟି ନକଆଉଟ୍ ସାମିଲ ରହିଛି । ସେହିପରି ପଲଙ୍କ ପେଶାଦାର ରେକର୍ଡ ୧୦-୧ ରହିଥିବା ବେଳେ ସେଥିମଧ୍ୟରୁ ୭ଟି ନକଆଉଟ୍ ରହିଛି । ଗତ ଜୁଲାଇ ୨୦ରେ ଏହି ମୁକାବିଲା ହେବାର ଥିଲା, ମାତ୍ର ଟାଇସନଙ୍କ ଅଲସର ଚିକିତ୍ସା କାରଣରୁ ମୁକାବିଲାକୁ ସ୍ଥଗିତ ରଖାଯାଇଥିଲା । ଏହି ମୁକାବିଲା ପାଇଁ ପଲଙ୍କୁ ୩୩୭ କୋଟି ଓ ଟାଇସନଙ୍କୁ ୧୬୮ କୋଟି ଟଙ୍କା ଦିଆଯିବ ।