ନୂଆଦିଲ୍ଲୀ: ଚତୁର୍ଥ ଟି-୨୦ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୫ ରନ୍ ର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଭାରତ ୪ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ କୁ ୩-୧ରେ ଜିତି ନେଇଛି। ଦକ୍ଷିଣ ଆଫ୍ରିକା କୁ ବିଜୟ ପାଇଁ ୨୮୩ ରନର ଟାର୍ଗେଟ ମିଳିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଦଳ ୧୮.୨ ଓଭରରେ ୧୪୮ ରନରେ ସୀମିତ ହୋଇଯାଇଥିଲା । ଏହା ପୂର୍ବରୁ ଭାରତୀୟ ଦଳ ୨୦ ଓଭରରେ ୧ ୱିକେଟ୍ ହରାଇ ୨୮୩ ରନ୍ କରିଥିଲା।
ଭାରତର ୨୮୩ ରନ୍ ଜବାବରେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ଦଳର ଆରମ୍ଭ ଅତ୍ୟନ୍ତ ଖରାପ ଥିଲା। ରିଜା ହେନରିକ୍ସ କୌଣସି ରନ୍ ନ କରି ଆଉଟ୍ ହୋଇଥିଲେ। ରିଜା ହେନରିକ୍ସଙ୍କୁ ଅର୍ଶଦୀପ ସିଂହ ଆଉଟ୍ କରିଥିଲେ। ସେହିପରି ୧ ରନ୍ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ ରିଅନ୍ ରିକ୍ଲେଟନ୍। ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ୍ ମାର୍କରାମ ୮ ବଲ୍ ରୁ ୮ ରନ୍ କରିଥିଲେ। ହେନରିକ୍ କ୍ଲାସେନ୍ ଖାତା ଖୋଲିବାରେ ବିଫଳ ହୋଇଥିଲେ।
ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩ଟି ୱିକେଟ୍ ନେଇଥିଲେ। ଏହାବ୍ୟତୀତ ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ ୨-୨ ଗୋଲରେ ସଫଳତା ପାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା, ରମଣଦୀପ ସିଂହ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୧ ୱିକେଟ୍ ହରାଇ ୨୮୩ ରନ୍ କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୮୪ ରନର ଟାର୍ଗେଟ ରହିଛି ।
ଭାରତ ପକ୍ଷରୁ ସଞ୍ଜୁ ସାମସନ ଓ ତିଲକ ବର୍ମା ଶତକ ହାସଲ କରିଥିଲେ। ଏହି ସିରିଜରେ ସଞ୍ଜୁ ସାମସନ ଓ ତିଲକ ବର୍ମା ଦ୍ବିତୀୟ ଥର ପାଇଁ ଶତକ ଅତିକ୍ରମ କରିଛନ୍ତି। ତିଲକ ବର୍ମା ୪୭ ବଲ୍ ରୁ ୧୨୦ ରନ୍ କରି ଅପରାଜିତ ଫେରିଥିଲେ। ସେ ନିଜ ଇନିଂସରେ ୯ ଚୌକା ଓ ୧୦ ଛକା ମାରିଥିଲେ। ସଞ୍ଜୁ ସାମସନ୍ ୫୬ ବଲ୍ ରୁ ୧୦୯ ରନ୍ କରି ଅପରାଜିତ ଫେରିଥିଲେ। ଏହି ୱିକେଟକିପର ବ୍ୟାଟ୍ସମ୍ୟାନ୍ ନିଜ ଇନିଂସରେ ୬ଟି ଚୌକା ଓ ୯ଟି ଛକା ମାରିଥିଲେ।