ଝାନ୍ସୀ: ଉତ୍ତର ପ୍ରଦେଶ ଝାନ୍ସୀ ସ୍ଥିତ ରାଣୀ ଲକ୍ଷ୍ମୀ ବାଈ ଡାକ୍ତରଖାନାରେ ଘଟିଯାଇଛି ଏକ ବଡ଼ ଅଘଟଣ । ଯେଉଁଥିରେ ୧୦ ନବଜାତ ଦୁନିଆ ଦେଖିବା ପୂର୍ବରୁ ପ୍ରାଣ ହରାଇଛନ୍ତି । ଏନଆଇସିୟୁରେ ନିଆଁ ଲାଗିବା କାରଣରୁ ଡାକ୍ତରଖାନାରେ ଏତେ ବଡ଼ ଦୁର୍ଘଟଣା ଘଟିିଯାଇଛି । କିନ୍ତୁ ନିଆଁ କେମିତି କେଉଁଠୁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଜଣେ ନର୍ସ ହିଁ ନିଆଁ ଲାଗିବା ପାଇଁ ଦାୟି । କାରଣ ଘଟଣା ସମୟରେ ୱାର୍ଡରେ ନର୍ସ ଓ ଭଗବାନ ଦାସ ହିଁ ଉପସ୍ଥିତ ରହିଥିଲେ । ନର୍ସ ଜଣକ ଅକ୍ସିଜେନ ପାଇପ୍ ସଂଯୋଗ କରିବା ପାଇଁ ଦିଆସିଲି ମାରିଥିଲେ । ଆଉ ଦିଆସିଲଟି ଜଳିବା କ୍ଷଣି ଏନଆଇସିୟୁ ହୁତୁ ହୁୁ ହୋଇ ଜଳିବାକୁ ଲାଗିଲା । ଆଉ ସେଠାରେ ଉପସ୍ଥିତ ଥିବା ଭଗବାନ ନିଜ ଗାମୁଛାରେ ୩-୪ ଶିଶୁଙ୍କୁ ଉଦ୍ଧାର କରି ବାହାରକୁ ନେଇ ଆସିଥିଲେ । ଲୋକଙ୍କ ଚିକ୍ରାର ଶୁଣି ଡାକ୍ତରଖାନା କର୍ମଚାରୀ ଓ ଉପସ୍ଥିତ ଲୋକଙ୍କ ସାହାଯ୍ୟରେ ପିଲାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ଏନଆଇସିୟୁରେ ଥିବା ନବଜାତଙ୍କ ଭିତରୁ ୧୦ ଜଣ ଜୀଅନ୍ତା ଜଳିଯାଇଥିବାବେଳେ ୧୬ ଜଣ ଗୁରୁତର ଅଛନ୍ତି ।
ଏତେ ବଡ଼ ଅଘଟଣ ପରେ ବି ହସ୍ପିଟାଲରେ ଫାୟାର ଆଲାର୍ମ ବାଜି ନ ଥିଲା । ଏହାଛଡ଼ା ୱାର୍ଡରେ ରଖାଯାଇଥିବା ଅଗ୍ନିନିର୍ବାପକ ସିଲିଣ୍ଡର ଖାଲି ପଡ଼ିଥିବା କୁହାଯାଉଛି । ସିଲିଣ୍ଡରରେ ଗ୍ୟାସ୍ ଫିଲିଂ ମସିହା ୨୦୧୯ ଏବଂ ଏକ୍ସପାରି ସ୍ଥାନରେ ୨୦୨୦ ଲେଖା ରହିଥିବାର ଦେଖିବାକୁ ମିଳିଛି । ହସ୍ପିଟାଲ ସୁପରିଟେଣ୍ଡେଣ୍ଟଙ୍କ କହିବା ଅନୁସାରେ ୱାର୍ଡରେ ମୋଟ ୫୪ ଶିଶୁ ଥିଲେ । ଅକ୍ସିଜେନ ସିଲିଣ୍ଡରରେ ନିଆଁ ଲାଗିବା କାରଣରୁ ୱାର୍ଡ ସାରା ନିଆଁ ବ୍ୟାପିଯାଇଥିଲା । ମୁଖ୍ୟମନ୍ତ୍ରୀ ଘଟଣାର ଯାଞ୍ଚ ନିଦେ୍ର୍ଦଶ ଦେବା ସହ ୧୨ ଘଣ୍ଟା ଭିତରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ପରିସ୍ଥିତିକୁ ଗୁରୁତ୍ୱ ଦେଇ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।