ଇମ୍ଫାଲ: ପୁଣିଥରେ ମଣିପୁରରେ ଅଶାନ୍ତି ଦେଖିବାକୁ ମିଳିଛି । ରାଜଧାନୀ ଇମ୍ଫାଲର ରାଜରାସ୍ତାରେ ଜମା ହୋଇଛନ୍ତି ଲୋକେ । କେଉଁଠି କାର୍ ଜଳୁଥିବାର ଦୃଶ୍ୟ ତ ଆଉ କେଉଁଟି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜୀର ଦୃଶ୍ୟ । ମେଇତି ସମ୍ପ୍ରଦାୟର ଲୋକଙ୍କ ପକ୍ଷରୁ ଏ ବିକ୍ଷୋଭ କରାଯାଇଛି । ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂ ତୁରନ୍ତ ଇସ୍ତଫା ଦିଅନ୍ତୁ । କାରଣ ରାଜ୍ୟରେ ଶାନ୍ତି, ଶୃଙ୍ଖଳା ବଜାୟ ରଖିବାରେ ସେ ଅସଫଳ ହୋଇଛନ୍ତି । କିଛି ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଶନିବାର ଆକ୍ରମଣ କରିଛନ୍ତି । ଢେଲା ପଥର ମାଡ଼ କରିବା ଯୋଗୁ ବିରୋନଙ୍କ ଘର ଭଙ୍ଗାରୁଜା ହୋଇଥିବା କୁହାଯାଉଛି । ଏହାବ୍ୟବତୀତ ୭ ବିଧାୟକଙ୍କ ଘର ଉପରକୁ ମଧ୍ୟ ବିକ୍ଷୋଭାକରୀମାନେ ଆକ୍ରମଣ କରିଛନ୍ତି । ସେମାନଙ୍କ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଜ୍ୱାଇଁ ସାମିଲ ଅଛନ୍ତି । ଜ୍ୱାଇଁ ରାଜକୁମାର ଇମୋ ସିଂଙ୍କ ଘରେ ଢେଲାପଥର ମାଡ଼ କରିଛନ୍ତି ଦୁର୍ବୃତ୍ତ ।
ସୂଚନା ଯୋଗ୍ୟ କୁକି ଉଗ୍ରପନ୍ଥୀମାନେ ଗତ ୧୧ ତାରିଖରେ ମେଇତି ସମ୍ପ୍ରଦାୟର ଗୋଟିଏ ପରିବାରର ୬ ଜଣଙ୍କୁ ଅପହରଣ କରିନେଇଥିଲେ । କିଛିଦିନ ସେମାନଙ୍କୁ ବନ୍ଦୀ କରି ରଖିବା ପରେ ଏବେ ତାଙ୍କ ମୃତଦେହ ଜବତ ହୋଇଛି । ଯାହାର ପ୍ରତିବାଦରେ ମେଇତି ସମ୍ପ୍ରଦାୟର ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଛନ୍ତି । ଅଶାନ୍ତ ଇମ୍ଫାଲକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ଏଥିସହ ସହରରେ କର୍ଫୁ୍ୟ ଜାରି ସାଙ୍ଗକୁ ଇଣ୍ଟରନେଟ୍ ୨ ଦିନ ପାଇଁ ବନ୍ଦ କରାଯାଇଛି । ବିକ୍ଷୋଭକାରୀଙ୍କ ଦାବୀ ନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।