କଳାହାଣ୍ଡି: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । ରୋଗୀ ସେବା ହିଁ ଡାକ୍ତରଙ୍କ ପ୍ରଥମ ଧର୍ମ । କିନ୍ତୁ ଏହି ସେବା ଧର୍ମରେ ଅବହେଳା କରିଛନ୍ତି ଜଣେ ଲାଞ୍ଚୁଆ ଡାକ୍ତର । ନିକଟରେ କଳାହାଣ୍ଡିରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଜଣେ ଡାକ୍ତର ତାଙ୍କ ପାଖରେ ଚିକିତ୍ସା ପାଇଁ ଆସିଥିବା ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେବା ସମୟରେ ଧରାପଡ଼ିଥିଲେ । ସେ ହେଉଛନ୍ତି କଳାହାଣ୍ଡି ମେଡିକାଲ କଳେଜର ଡାକ୍ତର ଅଶୋକ ଦାସ, ଛଅ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ତେବେ ଡାକ୍ତରଙ୍କ କ୍ୱାର୍ଟର୍ସ ସହ ତାଙ୍କ ଚାମ୍ବରରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିବା ଜଣାପଡ଼ିଛି ।
ସୂଚନାରୁ ପ୍ରକାଶ ଭବାନୀପାଟଣାର ରେନ୍ଦୋ ମାଝୀ ନାମକ ଜଣେ ଗର୍ଭବତୀ ମହିଳା ଡାକ୍ତର ଅଶୋକ ଦାସଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିଲେ । ଚେକଅପ୍ ପରେ ଡେଲିଭେରୀ ସମୟ ପାଖେଇ ଆସୁଥିବା କଥା କହିଥିଲେ ଡାକ୍ତର । ପରେ ଗର୍ଭବତୀ ଜଣଙ୍କ ଏକ ସରକାରୀ ଡାକ୍ତରଖାନାରେ ଡେଲିଭେରୀ କରିବାକୁ ଚାହିଁଥିଲେ । କିନ୍ତୁ ଏଥିପାଇଁ ଉକ୍ତ ଡାକ୍ତର ଜଣଙ୍କ ତାଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଗର୍ଭବତୀ ଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ତେବେ ଡାକ୍ତରଙ୍କ ନୟାଗଡ଼ ସ୍ଥିତି ପୈତୃକ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡ଼ିଛି ।