ଭୁବନେଶ୍ବର: କଥାରେ ଅଛି ରଖେ ହରି ତ ମାରେ କିଏ? 2 ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା ହାର୍ଟ ବିଟ୍ । ସମସ୍ତେ ଆଶା ମଧ୍ୟ ଛାଡି ଦେଇଥିଲେ । ହେଲେ ହଠାତ୍ ଉଠିଲେ ଯୁବକ । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସମ୍ପୁର୍ଣ୍ଣ ସତ୍ୟ । ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଦେଖିବାକୁ ମିଳିଛି ଏହି ଚମତ୍କାରିତା । ଚିକିତ୍ସା ବିଜ୍ଞାନର ଅଗ୍ରଗତି ଯୋଗୁଁ ଯୁବକ ଜଣକ ଆଜି ନୂଆ ଜୀବନ ପାଇଛନ୍ତି । ଉକ୍ତ ଯୁବକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ପଲା ଗାଁର ଶୁଭକାନ୍ତ ସାହୁ ।
ଖବର ଅନୁସାରେ, ଶୁଭକାନ୍ତ ପେଶାରେ ଜଣେ ଯବାନ । ତାଙ୍କ ବୟସ 24 ବର୍ଷ । ଗତ 30 ତାରିଖରେ ସେ ଘରକୁ ଆସିଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ରଣପୁର ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରେ ତାଙ୍କର ହାର୍ଟ ରେଟ୍ କମିବା ସହିତ ଅନେକ ସମସ୍ଯା ମଧ୍ୟ ଦେଖାଯାଇଥିଲା । ତେବେ ଡାକ୍ତର ହାର୍ଟବିଟ୍ ବଢାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିବା ବେଳେ ହଠାତ୍ ଶୁଭକାନ୍ତଙ୍କୁ କାର୍ଡିଆକ୍ ଆରେଷ୍ଟ ହୋଇଥିଲା । ଫଳରେ ହାର୍ଟବିଟ୍ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା । ସିପିଆର ଦେବା ସତ୍ତ୍ବେ ମଧ୍ୟ ହାର୍ଟବିଟ୍ ଫେରିନଥିଲା । ଏହାପରେ ଡାକ୍ତର ଶେଷ ଥର ପାଇଁ ଏକମୋ ମେସିନ ଲଗାଇ ସିପିଆର୍ ଦେଉଥିଲେ । ଏଭଳି ଚେଷ୍ଚା କରିବା ପରେ ଦୀର୍ଘ 2 ଘଣ୍ଟା ପରେ ହୃଦସ୍ପନ୍ଦନ ଆସିଥିଲା । ତେବେ ବର୍ତ୍ତମାନ ସେ ସୁସ୍ଥ ରହିଥିବା ବେଳେ ଖୁବଶୀଘ୍ର ଡିସଚାର୍ଜ ହେବା ନେଇ ମଧ୍ୟ ଜଣାପଡିଛି । ତେବେ ଡାକ୍ତରଙ୍କ ଏଭଳି ଚମତ୍କାରିତା ଯୋଗୁଁ ଜଣଙ୍କର ଜୀବନ ମୃତ୍ୟୁମୁଖରୁ ଫେରିଆସିଛି । ଏନେଇ ଡାକ୍ତରୀ ଟିମକୁ କୃତଜ୍ଞତା ଜଣାଇଛନ୍ତି ଶୁଭକାନ୍ତଙ୍କ ପରିବାର ।