ବିଶିଷ୍ଟ ସଙ୍ଗୀତଜ୍ଞ ଏଆର ରହମାନଙ୍କ ବିବାହ ବିଚ୍ଛେଦ: ସ୍ୱାମୀଙ୍କ ଠାରୁ ଅଲଗା ହେବା ନେଇ ଘୋଷଣା କଲେ ପତ୍ନୀ ସାୟରା

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଖବର । ଓସ୍କାର ପୁରସ୍କାର ବିଜେତା ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର ରହମାନଙ୍କ ଡିଭୋର୍ସ ହେବ । ସ୍ୱାମୀଙ୍କ ଠାରୁ ଅଲଗା ହେବା ନେଇ ରହମାନଙ୍କ ପତ୍ନୀ ସାୟରା ଘୋଷଣା କରିଛନ୍ତି । ରହମାନ-ସାୟରା ଦମ୍ପତ୍ତିଙ୍କ ଡିଭୋର୍ସ ହେବା ନେଇ ସାୟରାଙ୍କ ଓକିଲଙ୍କ ତରଫରୁ ଏକ ଷ୍ଟେଟମେଣ୍ଟ ଜାରି କରାଯାଇଛି । ଦମ୍ପତ୍ତିଙ୍କର ୩ଟି ସନ୍ତାନ ଖତିଜା, ରହୀମା ଓ ଅମୀନ ରହିଥିବା ବେଳେ ଏବେ ଦୁହେଁ ଅଲଗା ହେବା ନେଇ ସହମତି ପ୍ରକାଶ କରିଛନ୍ତି । ଦୁହେଁ ପରସ୍ପରଙ୍କ ଠାରୁ ଅଲଗା ହେବା ନେଇ ନିଷ୍ପତ୍ତି ନେଇଥିବା ସାୟରାଙ୍କ ଓକିଲ ବନ୍ଦନା ଶାହ ଏକ ଅଫିସିଆଲ ବୟାନ ଜାରି କରିଛନ୍ତି ।

ସାୟରାଙ୍କ ଓକିଲଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ‘ବିବାହର ଦୀର୍ଘ ବର୍ଷ ପରେ ଆମେ ପରସ୍ପର ଠାରୁ ଅଲଗା ହେବା ନେଇ ନିଷ୍ପତ୍ତି ନେଇଛୁ । ସମ୍ପର୍କରେ ଭାବପ୍ରବଣତାର ଚାପ ସୃଷ୍ଟି ହେବା କାରଣରୁ ଆମେ ଏହି ନିଷ୍ପତ୍ତି ନେଇଛୁ । ଦୁହିଁଙ୍କ ମଧ୍ୟରେ ଗଭୀର ପ୍ରେମ, ଭଲ ପାଇବା ରହିଥିଲେ ମଧ୍ୟ ଚାପ ଓ ସମସ୍ୟା କାରଣରୁ ସମ୍ପର୍କରେ ଶୂନ୍ୟସ୍ଥାନ ସୃଷ୍ଟି କରିଥିଲା । ଦୁହିଁଙ୍କ ମଧ୍ୟରେ କେହି ଏହି ସମ୍ପର୍କକୁ ଯୋଡ଼ିବାକୁ ପ୍ରୟାସ କରିନଥିଲେ । ତେବେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସାୟରା ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଏଭଳି ଚ୍ୟାଲେଞ୍ଜି ସମୟରେ ବ୍ୟକ୍ତିଗତ ଗୋପନୀୟତାକୁ ଜନସାଧାରଣଙ୍କ ଠାରୁ ବଜାୟ ରଖିବା ପାଇଁ ସାୟରା ଅନୁରୋଧ କରିଛନ୍ତି ।’

ସୂଚନାଯୋଗ୍ୟ ଯେ, ଦୀର୍ଘ ୨୯ ବର୍ଷ ପରେ ରହମାନ ପତ୍ନୀ ସାୟରାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି । ଏହି ସମ୍ପର୍କରେ ରହିଥିବା ସମୟରେ ସେ ବହୁତ ଯନ୍ତ୍ରଣା ସହ୍ୟ କରୁଥିଲେ, ଯାହାକୁ କି ସହ୍ୟ କରିବା ତାଙ୍କ ପକ୍ଷେ ମୁସ୍କିଲ ହୋଇଥିଲା ବୋଲି ସାୟରା କହିଛନ୍ତି । ଅନ୍ୟପକ୍ଷରେ ରହମାନଙ୍କ ଫ୍ୟାନ୍ସଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ନିରାଶାଜନକ ଖବର । ତେବେ ଦମ୍ପତ୍ତି ପରସ୍ପର ଠାରୁ ଅଲଗା ହେବା ନିଷ୍ପତ୍ତି ଅଚାନକ ଭାବେ ନେଇ ନାହାନ୍ତି ବୋଲି ଜଣାପଡ଼ିଛି । ଦୀର୍ଘ ସମୟ ଧରି ବିଚାର କରିବା ପରେ ସାୟରା ଶେଷରେ ଏହି ପଦକ୍ଷେପ ଗ୍ରହଣ କରିଥିଲେ । ସେ ଏବେ ଆଉ ତାଙ୍କର ପୂର୍ବ ସମ୍ପର୍କକୁ ବଜାୟ ରଖିପାରିବେ ନାହିଁ ବୋଲି ନିଜର ପ୍ରେସ୍ ରିଲିଜରେ ସାୟରା କହିଛନ୍ତି ।