ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ବୁଧବାର କହିଛନ୍ତି ଯେ, ସରକାରଙ୍କ ବଡ଼ ଆକାରର ଡିଜିଟାଲାଇଜେସନ୍ ପ୍ରୟାସ ଦେଶରେ ପବ୍ଲିକ୍ ବିତରଣ ସିଷ୍ଟମ (ପିଡିଏସ୍) ରେ ଏକ ବଡ଼ ପରିବର୍ତ୍ତନ ଆଣିଛି ଏବଂ ୫.୮ କୋଟି ନକଲି ରାସନ କାର୍ଡ ବାତିଲ କରାଯାଇଛି । ବିଶ୍ୱ ସ୍ତରରେ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଏହା ନୂତନ ମାନକ ସ୍ଥିର କରିଛି । ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ୮୦.୬ କୋଟି ହିତାଧିକାରୀଙ୍କୁ ସେବା କରୁଥିବା ପିଡିଏସ୍ ବ୍ୟବସ୍ଥାରେ ସଂସ୍କାରର ଏକ ଅଂଶ ଭାବରେ ଆଧାର ଏବଂ ଇଲେକ୍ଟ୍ରୋନିକ୍ ରୁପରେ ନିଜ ଗ୍ରାହକଙ୍କୁ ଜାଣିବାର ବ୍ୟବସ୍ଥା (ଇ-କେୱାଇସି) ସିଷ୍ଟମ ମାଧ୍ୟମରେ ୫.୮ କୋଟି ନକଲି ରାସନ କାର୍ଡ ହଟାଇ ଦିଆଯାଇଛି ।
ତ୍ରୁଟି ହ୍ରାସ ପାଇଛି :-
ବିବୃତ୍ତି ଅନୁଯାୟୀ, ଏହି ପ୍ରୟାସରେ ଅନିୟମିତତା ହ୍ରାସ ପାଇଛି ଏବଂ ଲକ୍ଷ୍ୟ ଧାର୍ଯ୍ୟ ଜନସଂଖ୍ୟାରେ ବୃଦ୍ଧି ଘଟିଛି । ମନ୍ତ୍ରଣାଳୟ ଅନୁଯାୟୀ ପ୍ରାୟ ୨୦.୪ କୋଟି ରାସନ କାର୍ଡ ଡିଜିଟାଲାଇଜ୍ ହୋଇଛି । ସେଥିମଧ୍ୟରୁ ୯୯.୮ ପ୍ରତିଶତ ଆଧାର ସହିତ ସଂଯୁକ୍ତ ଏବଂ ୯୮.୭ ପ୍ରତିଶତ ହିତାଧିକାରୀଙ୍କ ପରିଚୟ ବାୟୋମେଟ୍ରିକ୍ ମାଧ୍ୟମରେ ଯାଞ୍ଚ କରାଯାଇଛି ।
୫.୩୩ ଲକ୍ଷ ଇ-ପିଓଏସ ଉପକରଣ ଲାଗିଛି :-
ବିବୃତ୍ତି ଅନୁଯାୟୀ, ଦେଶର ଉଚିତ ମୂଲ୍ୟ ଦୋକାନରେ ୫.୩୩ ଲକ୍ଷ ଇ-ପିଓଏସ (ଇଲେକ୍ଟ୍ରୋନିକ୍ ପଏଣ୍ଟ ଅଫ୍ ସେଲ୍) ଉପକରଣ ଲଗାଯାଇଛି । ଏହା ମାଧ୍ୟମରେ, ଖାଦ୍ୟ ଶସ୍ୟ ବଣ୍ଟନ ସମୟରେ ଆଧାର ମାଧ୍ୟମରେ ଯାଞ୍ଚ ସହିତ ଏହା ନିଶ୍ଚିତ ହୋଇଛି ଯେ ରାସନ ସଠିକ୍ ବ୍ୟକ୍ତିଙ୍କୁ ବଣ୍ଟନ କରାଯିବ ।