ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିବେ ରବିନ୍ଦ୍ର ଜାଡେଜା! ଡେବ୍ୟୁ କରିବେ ନୀତିଶ… କ’ଣ ରହିବ ଭାରତର ?

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟକୁ ମଝିରେ କେବଳ ଗୋଟିଏ ଦିନ ବାକି ରହିଛି । ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ପର୍ଥରେ ମୁହାଁମୁହିଁ ହେବେ । ପ୍ରଥମ ଟେଷ୍ଟରେ ନିୟମିତ ଅଧିନାୟକ ରୋହିତ ଶର୍ମା ଭାରତର ନେତୃତ୍ୱ ନେବେ ନାହିଁ । ତାଙ୍କ ବଦଳରେ ୟର୍କର କିଙ୍ଗ ଯଶପ୍ରୀତ ବୁମରାହ ନେତୃତ୍ୱ ଗ୍ରହଣ କରିବେ । ସେହିପରି ଆହତ କାରଣରୁ ଶୁଭମନ୍ ଗିଲ୍ ମଧ୍ୟ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ପ୍ଲେଇଙ୍ଗ-୧୧କୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି ।

ରିପୋର୍ଟ ଅନୁସାରେ, ପର୍ଥ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିବ ନାହିଁ । ଭାରତ ଏକମାତ୍ର ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କ ସହ ପଡ଼ିଆକୁ ଓହ୍ଲାଇପାରେ । ଦ୍ରୁତ ବୋଲରଙ୍କୁ ପିଚ୍ ସୁହାଇବାର ସମ୍ଭାବନା ଥିବାରୁ ଟିମ୍ ମ୍ୟାନେଜମେଣ୍ଟ ଏପରି ନିଷ୍ପତ୍ତି ନେବ ବୋଲି କୁହାଯାଉଛି । ଦଳ ୩ ଦ୍ରୁତ ବୋଲର୍ ଓ ଦ୍ରୁତ ବୋଲିଂ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ନେଇ ପ୍ରଥମ ଟେଷ୍ଟ ଖେଳିବାର ସମ୍ଭାବନା ଦେଖାଦେଉଛି । ନୀତୀଶ କୁମାର ରେଡ୍ଡୀ ବର୍ତ୍ତମାନ ସୁଦ୍ଧା ଟେଷ୍ଟରେ ଡେବ୍ୟୁ କରିନାହାନ୍ତି । ତେଣୁ ପ୍ରଥମ ଟେଷ୍ଟରେ ସେ ଭାରତ ପାଇଁ ଡେବ୍ୟୁ କରିପାରନ୍ତି । ଏହାବ୍ୟତୀତ ବୁମରାହ, ସିରାଜ ଏବଂ ଆକାଶଦୀପ ଦଳର ପେସ୍ ଆଟାକରେ ପ୍ରମୁଖ ଭୂମିକାରେ ରହିବେ ।

ତେବେ ଜାଡେଜାଙ୍କ ବଦଳରେ ଅଶ୍ୱୀନଙ୍କୁ ସୁଯୋଗ ଦେବା ପଛରେ ଯଥେଷ୍ଟ କାରଣ ରହିଛି । କାରଣ ଅଷ୍ଟ୍ରେଲିଆର ଚୂଡ଼ାନ୍ତ ଏକାଦଶରେ ଉସମାନ ଖାୱାଜା, ଟ୍ରାଭିସ୍ ହେଡ ଓ ଆଲେକ୍ସ କେରୀଙ୍କ ଭଳି ବାମହାତୀ ବ୍ୟାଟର୍ ରହିଛନ୍ତି । ତେଣୁ ଅଶ୍ୱୀନ ଏମାନଙ୍କ ବିପକ୍ଷରେ ଘାତକ ସାବ୍ୟସ୍ତ ହୋଇପାରନ୍ତି । ଅଶ୍ୱୀନଙ୍କ ବ୍ୟତୀତ ଦଳରେ ଜାଡେଜା ଓ ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ମଧ୍ୟ ରହିଛନ୍ତି । କିନ୍ତୁ ପ୍ରଥମ ଟେଷ୍ଟ ପାଇଁ ଅଶ୍ୱୀନଙ୍କ ଖେଳିବାର ସମ୍ଭାବନା ଅଧିକ ରହିଛି ।

ପ୍ରଥମ ଟେଷ୍ଟରେ ଭାରତର ପ୍ଲେଇଙ୍ଗ-୧୧: ଯଶସ୍ୱୀ ଜଏସ୍ୱାଲ, କେ.ଏଲ ରାହୁଲ, ଦେବଦତ୍ତ ପାଡିକ୍କଲ, ବିରାଟ କୋହଲି, ଋଷଭ ପନ୍ତ, ଧ୍ରୁବ ଜୁରେଲ/ସରଫରାଜ ଖାନ୍, ରବିଚନ୍ଦ୍ରନ ଅଶ୍ୱୀନ, ନୀତିଶ କୁମାର ରେଡ୍ଡୀ, ଆକାଶଦୀପ, ଯଶପ୍ରୀତ ବୁମରାହ ଏବଂ ମହମ୍ମଦ ସିରାଜ ।