ନୂଆଦିଲ୍ଲୀ: ପାର୍ବଣ ଋତୁରେ ଭାରତରେ ରେକର୍ଡ ସଂଖ୍ୟକ କାର୍ ବିକ୍ରି ହୋଇଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଥିଲା । ଦଶହରା, ଦୀପାବଳି ସମୟରେ ଭାରତୀୟମାନେ ଅଧିକ ମାତ୍ରାରେ କାର୍ କିଣିଥିଲେ । ସବୁ କମ୍ପାନୀର ଗାଡି ରେକର୍ଡ ସଂଖ୍ୟାରେ ବିକ୍ରି ହୋଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଥିଲା । ଏହାରି ଭିତରେ ଗ୍ରାହକଙ୍କୁ ଝଟକା ଦେଇଛି ମହିନ୍ଦ୍ରା । କେତେକ କାରର ଦାମ୍ 50 ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି । ମହିନ୍ଦା ଏସୟୁଭିର ଦାମ୍ 50 ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ନେଇ ଏକ ରିପୋର୍ଟରେ ଦର୍ଶାଯାଇଛି ।
ଦେଶର ପ୍ରମୁଖ ଯାନ ନିର୍ମାଣ କମ୍ପାନୀ ମହିନ୍ଦ୍ରା କୌଣସି ଘୋଷଣା ନକରି ଗାଡିର ଦାମକୁ ଅପଡେଟ୍ କରିଛି । କମ୍ପାନୀ ଏକ୍ସୟୁଭି 700ର ଭାରିଆଣ୍ଟକୁ 30 ହଜାରରୁ 50 ହଜାର ପର୍ଯ୍ୟନ୍ତ ବୃଦ୍ଧି କରିଛି । ଏକ୍ସୟୁଭି 700ର ପ୍ରାରମ୍ଭିକ ମୂଲ୍ୟ ବର୍ତ୍ତମାନ 13.99 ଲକ୍ଷ ହୋଇଯାଇଛି । ସେହିପରି ଟପ୍ ଭାରିଆଣ୍ଟର ଦାମ୍ 25.64 ଲକ୍ଷ ରହିଛି । AX7 AT 7 ସିଟର କାରର ଦାମ୍ ମଧ୍ୟ 30 ହଜାର ବୃଦ୍ଧି ପାଇଛି । 20.99ରୁ ବଢି 21.23 ହୋଇଛି ।
ତେବେ ସବୁଠାରୁ ଅଧିକା ଦାମ୍ AX7L ଅଟୋମେଟିକ ଭାରିଆଣ୍ଟରେ କରାଯାଇଛି । ଏହାର ଦାମ୍ 50 ହଜାର ବୃଦ୍ଧି କରାଯାଇଛି । ପୂର୍ବରୁ ଏହାର ଦାମ୍ 24.19 ଲକ୍ଷ ରହିଥିବା ବେଳେ ବର୍ତ୍ତମାନର ଦାମ୍ 24.69 ଲକ୍ଷ ହୋଇଛି । ପ୍ରକାଶଥାଉକି ଏହି କାର୍, 2 ଲିଟର ପେଟ୍ରୋଲ ଏବଂ 2.2 ଲିଟର ଡିଜେଲ ଇଞ୍ଜିନ ଅପ୍ସନ ସହିତ ଆସିଥାଏ । ଏହାର ଡିଜେଲ 17 ମାଇଲେଜ ରହିଥିବା ବେଳେ ପେଟ୍ରୋଲ ଭାରିଆଣ୍ଟ 13 ମାଇଲେଜ୍ ରହିଛି ।