‘ଡାକ୍ତରଙ୍କ ଅପାରଗତାରୁ ଜୀବନ ରକ୍ଷା ’ ପୋଷ୍ଟମର୍ଟମ୍ ପରେ ୪ ଘଣ୍ଟା ଡିପ୍ ଫ୍ରିଜରରେ ରଖାଯାଇଥିବା ମୃତ ଯୁବକଙ୍କୁ ମିଳିଲା ନୂଆ ଜୀବନ

ଜୟପୁର: ଡାକ୍ତର ଭାଗବାନଙ୍କ ଅବତାର ବୋଲି କୁହାଯାଏ । କାରଣ ତାଙ୍କ ପାଇଁ ମଣିଷ ନୂଆ ଜୀବନ ପାଏ । ରୋଗ, ଯନ୍ତ୍ରଣାରୁ ମୁକ୍ତି ପାଏ । କିନ୍ତୁ ରାଜସ୍ଥାନର ଝୁନଝୁନୁରୁ ଡାକ୍ତରଙ୍କୁ ନେଇ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ପରେ ତାଙ୍କ ଶରୀର ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଗଲା । ପୋଷ୍ଟମର୍ଟମ ରିପୋର୍ଟବି କିଛି ଘଣ୍ଟାରେ ଚାଲିଆସିଲା । ଏହାପରେ ଶବକୁ ୪ ଘଣ୍ଟା ପର୍ଯ୍ୟନ୍ତ ଡିପ୍ ଫ୍ରିଜରରେ ରଖାଗଲା । ଶବର ଅନ୍ତିମ ସଂସ୍କାର ପାଇଁ ମଶାଣି ନିଆଗଲା । କିନ୍ତୁ ସେଠାରେ ଯେତେବେଳେ ତାଙ୍କୁ ଜୁଇରେ ରଖାଗଲା, ଠିକ୍ ସେତେବେଳେ ତାଙ୍କ ନିଶ୍ୱାସ ପ୍ରଶ୍ୱାସ ଚାଲିବା ଆରମ୍ଭ ହେଲା । ସେଠାରେ ଥିବା ଲୋକେ ଜୀଅନ୍ତା ଶବକୁ ତୁରନ୍ତ ଡାକ୍ତରଖାନା ନେଇଆସିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ଜୀବୀତ ଘୋଷଣା କରିଥିଲେ ।
ମୃତ ବ୍ୟକ୍ତି ହେଲେ ରୋହିତାଶ । ସେ ଦିବ୍ୟାଙ୍ଗ ହେବା ସହ ମାନସିକ ବିକାରଗସ୍ତ ଥିଲେ । ସ୍ଥାନୀୟ ଅଞ୍ଚଳରେ ଥିବା ମା’ ସେବା ସଂସ୍ଥାନରେ ସେ ରହୁଥିଲେ । ଗୁରୁବାର ଦିନ ସକାଳେ ହଠାତ୍ ସେ ଅଚେତ ହୋଇପଡ଼ିଥିଲେ । ଯାହାପରେ ତାଙ୍କୁ ନିକଟସ୍ଥ ସରକାରୀ ବିଡିକେ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ଓ ପରେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ମଶାଣି ପଠାଗଲା ।

ଘଟଣାରେ ଡାକ୍ତରଙ୍କ ଅବହେଳା ଜଣାପଡ଼ିବା ପରେ ସରକାରଙ୍କ ପକ୍ଷରୁ ସ୍ଥାନୀୟ ତହସିଲଦାର ଓ ବଗଡ ଥାନା ଅଦିକାରୀଙ୍କୁ ଯାଞ୍ଚ ପାଇଁ ଡାକ୍ତରଖାନା ପଠାଗଲା । ଘଟଣାରେ ୩ ଡାକ୍ତଣଙ୍କ ଅବହେଳା ନେଇ ରିପୋର୍ଟ ମିଳିବା ପରେ କଲେକ୍ଟର ସେମାନଙ୍କୁ ସସପେଣ୍ଡ କରିବା ସହ ବିଭାଗୀୟ ଯାଞ୍ଚ ପାଇଁ ନିଦେ୍ର୍ଦଶ ଦେଇଛନ୍ତି ।