କାଲି ଶ୍ରୀଜିଉଙ୍କ ପଇତା ଲାଗି, ଏହି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ

ଭୁବନେଶ୍ବର: ଶ୍ରୀମନ୍ଦିର ଯିବାକୁ ଥିବା ଭକ୍ତଙ୍କ ପାଇଁ ବଡ ଖବର । ସୋମବାର କିଛି ଘଣ୍ଟା ବନ୍ଦ ରହିବ ଦର୍ଶନ । ଆସାନ୍ତାକାଲି ଅର୍ଥାତ ସୋମବାର ଦିନ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହା କାଳିଆ ଠାକୁରଙ୍କର ଏକ ଗୁପ୍ତନୀତି ଅଟେ । ଏହି ଗୁପ୍ତ ନୀତି ପାଇଁ 4 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା 5ଟାରୁ ରାତି 9 ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରଖିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି 4 ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ମହାପ୍ରଭୁଙ୍କର ପଇତା ଲାଗି ନୀତି କରାଯିବ । ଶ୍ରୀଜିଉଙ୍କ ଠାରେ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ପାଇଁ ମହାପ୍ରଭୁଙ୍କର ଏହି ପଇତା ଲାଗି ନୀତି କରାଯାଇଥାଏ । ପାଟରା ସେବକମାନେ ପଇତା ବଳିଥାନ୍ତି । ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନି ରଙ୍ଗର ବାସୁକାପାଟ ପ୍ରଦାନ କରାଯାଇଥାଏ । ଲକ୍ଷ୍ମୀ ମନ୍ଦିର ଜଗମୋହନରେ ବସି ପାଟରା ସେବକମାନେ ପଇତା ବୋଳିଥାନ୍ତି । ତେବେ ମହାପ୍ରଭୁଙ୍କର ଏହା ଏକ ଗୁପ୍ତନୀତି ହୋଇଥିବା କାରଣରୁ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଥାଏ । ମନ୍ଦିରର ସମସ୍ତ କବାଟ ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ ।