ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ା କ୍ଷେତ୍ରରେ ପୁଣି ଥରେ ଏକ ବଡ଼ ସୁନାମ ଆଣିଛି ଓଡ଼ିଶା । ୪୭ତମ ଜାତୀୟ କନିଷ୍ଠ (ଅଣ୍ଡର-୧୯) ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶାକୁ ମିଳିଛି ସ୍ୱର୍ଣ୍ଣ ପଦକ । ବାଳିକା ଏକକରେ ଓଡ଼ିଶାର ଖେଳାଳିମାନେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ମିକ୍ସଡ ଡବଲ୍ସରେ କମାଲ କରିଛି । ଓଡ଼ିଆ ଝିଅ ବିଶାଖା ଟୋପ୍ପୋ ମିଜୋରାମର ଲାଲ ରାମସାଙ୍ଗାଙ୍କୁ ସାଥୀ କରି ଫାଇନାଲରେ ପହଞ୍ଚିବା ସହ ଟ୍ରଫି ଜିତିଛନ୍ତି । ଓଡ଼ିଶା-ମିଜୋରାମର ଯୋଡ଼ି ଫାଇନାଲରେ ଆନ୍ଧ୍ର-ତେଲେଙ୍ଗାନା ଯୋଡ଼ି ଭାର୍ଗବରାମ ଓ କେନଲା କେଙ୍କୁ ପରାସ୍ତ କରିଥିଲେ । ଏହି ସଫଳତା ପରେ ରାଜ୍ୟ କ୍ରୀଡ଼ା ବିଭାଗ ତରଫରୁ ସୋସିଆଲ ମିଡ଼ିଆରେ ଖେଳାଳିମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
ଏହା ପୂର୍ବରୁ ବାଳିକା ଏକକରେ ଓଡ଼ିଆ ଖେଳାଳି ତଥା ଟାଇଟଳ ଦାବିଦାର ଦନ୍ୱୀ ପତ୍ରୀ ତାମିଲନାଡ଼ୁର ପ୍ରକ୍ରିତି ଭରତଙ୍କ ଠାରୁ ୨୧-୧୩, ୨୦-୨୨, ୨୦-୨୨ରେ ପରାସ୍ତ ହୋଇଥିଲେ । ସେହିପରି ଏହା ପୂର୍ବରୁ ତାମିଲନାଡ଼ୁର ପ୍ରକ୍ରିତି ଭରତ ଓ ମହାରାଷ୍ଟ୍ରର ଆଲିସା ନାଏକ ବାଳିକା ଏକକ ଫାଇନାଲରେ ଓ କର୍ଣ୍ଣାଟକର ତୁଷାର ସୁବୀର ଓ ମହାରାଷ୍ଟ୍ରର ପ୍ରଣୟ ସେଟିଗାର ବାଳକ ଏକକ ଫାଇନାଲରେ ପହଞ୍ଚିଥିଲେ । ରାଜଧାନୀର ନିଳାଦ୍ରୀ ବିହାର ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।