ଅମରାବତୀ- ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଜିଲ୍ଲାରେ ବୁଧବାର ବିଷାକ୍ତ ଗ୍ୟାସ ଲିକ ହୋଇଛି । ଏକ ଔଷଧ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ ଲିକ ପାଇଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ରିପୋର୍ଟ ମୁତାବକ, ଏକ ଘରୋଇ ଫାର୍ମା କମ୍ପାନୀ ଟେଗୁର ଲେବୋରେଟେରିଜ ପ୍ରାଇଭେଟ ଲିମିଟେଡରେ ବୁଧବାର ହଠାତ୍ ହାଇଡ୍ରୋକ୍ଲୋରିକ ଏସିଡ ଯୁକ୍ତ ବିଷାକ୍ତ ଗ୍ୟାସ ଲିହ ହୋଇଥିଲା । ଫଳରେ ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀଙ୍କ ଶ୍ୱାସକ୍ରିୟାରେ କଷ୍ଟ ହୋଇଥିଲା । ମୁଣ୍ଡ ବୁଲାଇ ସେମାନେ ତଳେ ବେହୋସ ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଛି । ଏହା ପରେ କମ୍ପାନୀ କର୍ତ୍ତୃପକ୍ଷ ପ୍ରଭାବିତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ୭ ଜଣଙ୍କ ଅବସ୍ଥାରେ ସୁଧାର ଅସିଥିବା ବେଳେ ଜଣଙ୍କର ଅବସ୍ଥା ଏବେ ବି ଗୁରୁତର ରହିଛି । ଘଟଣା ପରେ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଯାଞ୍ଚ କରୁଛନ୍ତି । ବିଷାକ୍ତ ଗ୍ୟାସ ଲିକରେ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି । ଏହା ଉପରେ ଅଧିକ ତଦନ୍ତରୁ ଅନେକ ଖୁଲାସା ହେବ ବୋଲି କହିଛନ୍ତି ଅଧିକାରୀ ।
ତେବେ ଗତ ସପ୍ତାହରେ ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାର ଏକ ଫର୍ଟିଲାଇଜର ପ୍ଲାଣ୍ଟରେ ଗ୍ୟାସ ଲିକ ହୋଇ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ୯ ଜଣ ଅସୁସ୍ଥ ହୋଇଥିଲେ ।