ଆଳୁ ବାଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଇଛନ୍ତି ବାଧକ!

ଭୁବନେଶ୍ୱର– ଭାଇଙ୍କ କଥାରେ ଦିଦି ରାଜ୍ୟକୁ ଆଳୁ ଯୋଗାଣ ବନ୍ଦ କରିଛନ୍ତି । ଏମିତି କହିଛନ୍ତି ଓଡିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଓଡିଶାକୁ ଆଳୁ ସପ୍ଲାଇ ବନ୍ଦ କରିଛି ପଶ୍ଚିମବଙ୍ଗ ସରକାର । ଗତକାଲିଠାରୁ ପଶ୍ଚିମ ବଙ୍ଗ ପୋଲିସ ଆଳୁ ଟ୍ରକକୁ ଜଗିଛନ୍ତି । ଫଳରେ ତନଖି ଫାଟକ ଦେଇ ଓଡିଶା ଭିତରକୁ ଆଳୁ ଗାଡି ଆସିପାରୁ ନାହିଁ ।

ମମତା ବାନାର୍ଜୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ରୋଷେଇଶାଳାର ଏହି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ନିୟନ୍ତ୍ରଣ କରିବାକୁ ବାହାର ରାଜ୍ୟକୁ ଆଳୁ ଏକ୍ସପର୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାର ସମ୍ମୁଖରେ ରହିଛି ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ଦିଦି ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ନ ହେବା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଏପରି ହେଲେ ସରକାର ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଇବ ଓ ସରକାରକୁ ବହୁ ମୂଲ୍ୟ ଦେବାକୁ ହେବ । ଏହା ପୂର୍ବରୁ ମଧ୍ୟ ଦୁଇ ମାସ ତଳେ ଦିଦି ସମାନ ନିଷ୍ପତ୍ତି ନେଇଥିଲେ ।

ତେବେ ଦିଦି ବର୍ତ୍ତମାନ ପାଇଁ ନିଜ ରାଜ୍ୟର ଆଳୁ ଚାହିଦାକୁ ଦୃଷ୍ଟିରେ ରଖି ଆଳୁ ରପ୍ତାନୀ ବନ୍ଦ କରିଥିବା ବେଳେ କିନ୍ତୁ ନୂଆ ଆଳୁ ଆସିବା ପରେ ପୁଣି ଆଳୁ ଯୋଗାଣ ସ୍ୱାଭାବିକ ହେବ ବୋଲି କହିଛନ୍ତି । ସେପଟେ ବର୍ତ୍ତମାନ ଆମ ରାଜ୍ୟର ବ୍ୟବସାୟୀଙ୍କ ନିକଟରେ କିଛି ଆଳୁ ଷ୍ଟକ ରହିଛି । ଏହା କିଛି ଦିନ ଚଳାଇ ଦେବ ବୋଲି ଛତ୍ରବଜାର ଆଳୁ ସଂଘର ସଭାପତି କହିଛନ୍ତି ।

ଏପରି ଅବସ୍ଥାରେ ରାଜ୍ୟ ସରକାର ବ୍ୟବସାୟୀଙ୍କ ନିକଟରେ ଥିବା ଆଳୁ ଷ୍ଟକର ମାଇନା କରି କଳା ବଜାର ଓ ଷ୍ଟକ ହୋଲ୍ଡି ପରି କାରବାର ରୋକିଲେ, ଆଗାମୀ ଦିନରେ ଆଳୁ ସମସ୍ୟା ଦେଖା ଦେବନାହିଁ । ଏଥିସହ କୋରାପୁଟରେ ମଧ୍ୟ ନୂଆ ଆଳୁ ଉତ୍ପାଦନ ଆରମ୍ଭ ହେବାରୁ ସେମିତି ସମସ୍ୟା ହେବ ନାହିଁ ବୋଲି କହିଛନ୍ତି ଆଳୁ ବ୍ୟବସାୟୀ ସଂଘ ।