ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯିବାକୁ ଥିବା ‘ପ୍ୟାନ-୨.୦’ ଯୋଜନାକୁ ନେଇ ଆପଣମାନେ ସାବଧାନ ରହିବାର ଆବଶ୍ୟକତା ରହିଛି । ଗତ ୨୫ ତାରିଖରେ ଏହି ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଥିବା ବେଳେ ନୂଆ ପ୍ୟାନ୍ କାର୍ଡରେ କ୍ୟୁଆର କୋଡ୍ ରହିବ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈଠକ ପରେ ସାମ୍ବାଦିକମାନଙ୍କୁ ଏ ବାବଦରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ନୂଆ ପ୍ୟାନ୍ କାର୍ଡରେ ଅନେକ ନୂଆ ଫିଚର୍ସ ରହିବ । ନୂଆ ପ୍ୟାନ କାର୍ଡରେ ସ୍କାନିଂର ଫିଚର ରହିବ ଓ କ୍ୟୁଆର କାର୍ଡରେ ପ୍ୟାନ ଭେରିଫିକେସନ ସହଜରେ ହୋଇଯିବ । ଏହା ପୂରା ପ୍ରକ୍ରିୟା ଅନଲାଇନ୍ ମାଧ୍ୟମରେ କରାଯିବ ।
ପ୍ୟାନ ୨.୦ ପାଇଁ କୌଣସି ଆବେଦନ କରିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ସରକାର ନିଜେ ଲୋକଙ୍କ ପାଖରେ ନୂଆ ପ୍ୟାନ୍ କାର୍ଡ ପହଞ୍ଚାଇବେ । ଯେ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ନୂଆ ପ୍ୟାନ୍ କାର୍ଡ ନ ପହଞ୍ଚିଛି, ସେ ପର୍ଯ୍ୟନ୍ତ ପୁରୁଣା ପ୍ୟାନ୍ କାର୍ଡ ବୈଧ ରହିବ । ଯଦି ଆପଣଙ୍କ ପାଖରେ ଏକାଧିକ ପ୍ୟାନ୍ କାର୍ଡ ରହିଛି, ତେବେ ଅନ୍ୟ ପ୍ୟାନ୍ କାର୍ଡକୁ ନକଲି ଧରାଯିବ । ଆପଣ ଯଦି ନକଲି ପ୍ୟାନ କାର୍ଡକୁ ସରେଣ୍ଡର ନକରିବେ, ତେବେ ଆୟକର ଆକ୍ଟର ୨୭୨ବି ସେକ୍ସନ ଅନୁସାରେ ଆପଣଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲାଗୁ ହୋଇପାରେ । ଏପରି ସ୍ଥିତିରେ ଯେଉଁମାନଙ୍କ ପାଖରେ ଡୁପ୍ଲିକେଟ ପ୍ୟାନ କାର୍ଡ ରହିଛି, ସେମାନେ ଏନଏସଡିଏଲ ବା ୟୁଟିଆଇଆଇଟିଏସଏଲ ନିକଟରେ ତାହାକୁ ସରେଣ୍ଡର କରିଦେବା ଉଚିତ୍ ।