ଭୁବନେଶ୍ବର: ଭୁବନେଶ୍ବରରେ ପୋଲିସ ମହାନିର୍ଦ୍ଦେଶକଙ୍କ ମେଳିର ଆଜି ଦ୍ବିତୀୟ ଦିନ । ସମସ୍ତ ରାଜ୍ୟରୁ ଆସିଥିବା ଡିଜିପି ଆଇଜିପିଙ୍କୁ ଗତକାଲି ଅର୍ଥାତ୍ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ତେବେ ଦ୍ବିତୀୟ ଦିନରେ ସକାଳୁ ସକାଳୁ ରାଜ୍ୟ ଅତିଥି ଭବନରେ ଯୋଗ ଶିବିରର ଆୟୋଜନ କରାଯାଇଛି । ସବୁ ରାଜ୍ୟର ଡିଜିପି ଏବଂ ଆଇଜିପି ଏହି ଯୋଗରେ ସାମିଲ ହୋଇଛନ୍ତି । ସମସ୍ତଙ୍କ ପାଇଁ ଡ୍ରେସକୋର୍ଡ କରାଯାଇଥିବା ବେଳେ ଧଳା ରଙ୍ଗର ଡ୍ରେସ ପିନ୍ଧି ସମସ୍ତେ ଯୋଗ କରିଛନ୍ତି ।
ଡିଜିପି-ଆଇଜିପି ମେଳୀର ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ସକାଳ 8ଟା 30 ମିନିଟରେ ଏହି ସମ୍ମିଳନୀ ଆରମ୍ଭ ହେବ । ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେବେ । ତେବେ ଆଜି ଦେଶର ସୁରକ୍ଷା ନେଇ ଅନେକ ପ୍ରକାର ଆଲୋଚନା ହୋଇପାରେ । ଆତଙ୍କବାଦୀ ମୁକାବିଲା, ସାଇବର ଠକେଇ ଏବଂ ନକ୍ସଲଙ୍କ ଉପଦ୍ରବକୁ ନେଇ ମାନସମନ୍ଥନ ହେବ । ଏହାସହିତ ଆଧୁନିକ ଜ୍ଞାନକୌଶଳ ଏବଂ ଦେଶରକ୍ଷା ଉପରେ ମଧ୍ୟ ଆଲୋଚନା ହୋଇପାରେ । ମୋଦୀ ସକାଳ 8ଟାରୁ ରାତି 8ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ସମ୍ମିଳନୀ ଆରମ୍ଭ ହେବାକୁ ଆଉ କିଛି ସମୟ ରହିଥିବା ବେଳେ ସମସ୍ତ ଅତିଥି ଲୋକସେବା ଭବନ ଅଭିମୁଖେ ବାହାରୁଥିବା ଖବର ମିଳିଛି ।