ରାଉରକେଲା: ପୁଣି ଅଲୋଡ଼ା ଶିଶୁ କନ୍ୟା । ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିିଳିଛି ରାଉରକେଲାରେ । ପେଟି ଭିତରୁ ଉଦ୍ଧାର ହୋଇଥିଲା ମୃତ ଶିଶୁ କନ୍ୟା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସୂଚନାରୁ ପ୍ରକାଶ ରାଉରକେଲା ସହର ହାଇଟେକ ଛକ ନିକଟରେ ଏକ ପରିତ୍ୟକ୍ତ ସ୍ଥାନରେ ଏକ କାଟୁନ ଭିତରୁ ନବଜାତ ଶିଶୁ କନ୍ୟାର ଶବ ଥିବା ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ବିଳରେ କାମ କରିବାକୁ ଯାଉଥିବା ସମୟରେ ଲୋକଙ୍କ ନଜର ହଠାତ ବିଲ ହୁଡାରେ ଥୁଆ ହୋଇଥିବା ଏକ ପେଟି ଉପରେ ପଡ଼ିଥିଲା । ପେଟି ଭିତରେ ଯାହା ଥିଲା ତାକୁ ଦେଖି ଉଡ଼ିଯାଇଥିଲା ଚାଷୀଙ୍କ ହୋଶ୍ । ପେଟି ଭିତରେ ଏକ କପଡ଼ାରେ ନବଜାତ ଶିଶୁର ଶବ ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ଖବର ନିଆଁ ଭଳି ଗାଁରେ ବ୍ୟାପିଗଲା । ଖବର ପାଇ ଘଟଣାସ୍ଥଳରେ ରଘୁନାଥପାଲ୍ଲୀ ପୋଲିସ ପହଁଚି ଶିଶୁ ଶବିକୁ ଉଦ୍ଧାର କରିଥିଲେ । ଏହା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ନିକଟରେ ରାଉରକେଲା ସରକାରୀ ହସ୍ପିଟାଲ ଓ ଏକ ଘରୋଇ ହସ୍ପିଟାଲ ଥିବାରୁ ନବଜାତକୁ ସେଠାରୁ ଆଣି ଏଠାରେ କେହି ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ଘଟଣା ପଛର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।