ଧର୍ମାନ୍ତରଣ ରୋକିବାକୁ ବିଲକୁ ମିଳିଲା କାବିନେଟ ମଞ୍ଜୁରୀ, ମିଳିବ ୫ବର୍ଷ ଜେଲଦଣ୍ଡ

ଜୟପୁର- ରାଜସ୍ଥାନ କ୍ୟାବିନେଟରେ ଆଣ୍ଟି କନଭର୍ସନ ବିଲକୁ ମିଳିଲା ମଞ୍ଜୁରୀ । ବଳପୂର୍ବକ ଧର୍ମ ପରିବର୍ତ୍ତନ ରୋକିବା ପାଇଁ ରାଜ୍ୟ ସରକାର ଏହି ଆଇନ ଆଣିବାକୁ ଯାଉଛନ୍ତି । ବିଲଟି କ୍ୟାବିନେଟ ମଞ୍ଜୁରୀ ପାଇବା ପରେ ଆସନ୍ତା ସେସନରେ ବିଧାନପରିଷଦରେ ପାରିତ ହେବ ।

ଉପମୁଖ୍ୟମନ୍ତ୍ରୀ ପ୍ରେମ ଚାନ୍ଦ ବୈରବାଙ୍କ ଅନୁଯାୟୀ, ଏହି ବିଲରେ ବହୁ ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ଜୋରଜବରଦଖଲ ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ଏଥିରେ ଏକରୁ ୫ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିଛି । ଲୋକେ ସେମାନଙ୍କ ଅଜାଣତରେ ଧର୍ମପରିବର୍ତ୍ତନର ଶିକାର ହେଉଛନ୍ତି । ଏହି ଧର୍ମପରିବର୍ତ୍ତନକୁ ରୋକିବାକୁ ଆମେ ଅନ୍ୟ ରାଜ୍ୟର ପଲିସିର ଅନୁଶୀଳନ କରିଛୁ । ଏହାକୁ ରୋକିବାକୁ ସେଥିରେ ଦଣ୍ଡ ବିଧାନ ବ୍ୟବସ୍ଥା କରିଛୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ

ଧର୍ମପରିବର୍ତ୍ତନକୁ ନେଇ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କହିଛନ୍ତି, ଏହି ପ୍ରସ୍ତାବିତ ବିଲ କୌଣସି ବ୍ୟକ୍ତି ବା ସଂସ୍ଥାକୁ ବଳପୂର୍ବକ, ପ୍ରଲୋଭନ, ଠକାମି ଆଦି ଜରିଆରେ କରାଯାଉଥିବା ଧର୍ମପରିବର୍ତ୍ତନକୁ ରୋକିବ । ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସ ହ୍ୟାଣ୍ଡଲରେ କହିଛନ୍ତି କି, ରାଜସ୍ଥାନ ସରକାର ବେଆଇନ ଧର୍ମ ପରିବର୍ତ୍ତନ ରୋକିବକୁ ବଦ୍ଧପରିକର । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ବସିଥିବା ବୈଠକରେ ରାଜସ୍ଥାନ ପ୍ରୋହିବିସନ ଅନ ଅନଲଫୁଲ କନଭର୍ସନ ଅଫ ରିଲିଜିଅନ ବିଲ ୨୦୨୪ ଆସନ୍ତା ସେସନରେ ବିଧାନସଭାରେ ପାରିତ କରିବାକୁ ନିଷ୍ପତ୍ତି ହୋଇଛି ।

ଆହୁରି ଶର୍ମା କହିଛନ୍ତି କି, କୌଣସି ବ୍ୟକ୍ତି ଧର୍ମ ପରିବର୍ତ୍ତନ ଉଦ୍ଦେଶ୍ୟରେ ବିବାହ କରିଥିଲେ ଫ୍ୟାମିଲି କୋର୍ଟକୁ ସେହି ବିବାହକୁ ଅସିଦ୍ଧ ଘୋଷଣା କରିବାର ଅଧିକାର ରହିବ ।