ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ବ୍ୟକ୍ତି ବିଶେଷ କରି ଯୁବପିଢ଼ିମାନେ ନିଜ କ୍ୟାରିୟର ଗଠନ କରିବା ପଛରେ ବ୍ୟସ୍ତ । ଛୋଟ ଗାଁ ଏବଂ ସହରରୁ ଅଧିକାଂଶ ଯୁବକ ଯୁବତୀ ଚାକିରି ସନ୍ଧାନରେ ବଡ଼ ବଡ଼ ସହରକୁ ଆସିଥାନ୍ତି । ସରକାରୀ ହେଉ କିମ୍ବା କର୍ପୋରେଟ ସେକ୍ଟର, ଚ୍ୟାଲେଞ୍ଜ ସବୁଠି ରହିଛି । ଏଥିପାଇଁ ପ୍ରତିଯୋଗିତାମୂଳକ ସମାଜରେ ନିଜ ଦକ୍ଷତା ଓ କୌଶଳ ବିକାଶ ଦିଗରେ ନିରନ୍ତର ପ୍ରୟାସ କରିବା ଉଚିତ । ଏହାଠାରୁ ବି ଅଧିକ ଗୁୁରୁତ୍ୱପୂର୍ଣ୍ଣ ଆର୍ଥିକ ସ୍ଥିରତା । ଅଧିକାଂଶ ବ୍ୟକ୍ତିଙ୍କ ଧାରଣା ଥାଏ କି କେବଳ ମୋଟା ଅଙ୍କର ରୋଜଗାର ଜୀବନରେ ସୁଖ ଶାନ୍ତି ଦେଇଥାଏ କିନ୍ତୁ ଏହା ଏକ ଭ୍ରାନ୍ତ ଧାରଣା ।
ବାସ୍ତବରେ ଜୀବନରେ ସଫଳତା ପାଇଁ ଆର୍ଥ ରୋଜଗାର ସହ ଉପଯୁକ୍ତ ଆର୍ଥିକ ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଉପଯୁକ୍ତ ବଜେଟ୍ ପରିଚାଳନାର ଆବଶ୍ୟକତା ରହିଛି । କିନ୍ତୁ ଅଧିକାଂଶ ବ୍ୟକ୍ତି ଏହି ବିଷୟକୁ ଗୁରୁତ୍ୱ ଦେଇନଥାନ୍ତି । ମାସିକ ବଜେଟ୍ ପରିଚାଳନା ଅଭାବ ଯୋଗୁ ନିଜ ଆୟ ଏବଂ ବ୍ୟୟର ରେକର୍ଡ଼ ରଖିନଥାନ୍ତି । ଫଳରେ ସେମାନଙ୍କ ସଞ୍ଚୟରେ ସମସ୍ୟା ଦେଖାଦେଇଥାଏ । ତେବେ ଏହା ପଛରେ ଅନେକ କାରଣ ରହିଛି ।
୧. ଦରମା ବଢ଼ିଲେ ବ୍ୟକ୍ତିର ଜୀବନଶୈଳୀରେ ପରିବର୍ତ୍ତନ ହୋଇଥାଏ । ସମାଜରେ ଷ୍ଟାଟସ୍ ମେଣ୍ଟେନ୍ କରିବା ନିଶାରେ ବ୍ୟକ୍ତି ବେଳେ ବେଳେ ଅଜାଣତରେ ଅନାବଶ୍ୟକ ଖର୍ଚ୍ଚ କରିଥାଏ । ଲୋକ ଦେଖାଣିଆ ପାଇଁ ଦାମୀ ପୋଷାକ, ବ୍ୟାଗ୍, ଜୋତା, ଫୋନ୍ ଭଳି ଅନ୍ୟାନ୍ୟ ଜିନିଷ କିଣିଥାନ୍ତି । ଫଳରେ ଖର୍ଚ୍ଚ ଅଧିକ ହେବା ସହ ସଞ୍ଚୟ କରିବା କଷ୍ଟକର ହୋଇଥାଏ ।
୨. ଅଧିକ ଦରମା ମିଳିବା ଖୁସିରେ ବେଳେ ବେଳେ ବ୍ୟକ୍ତି ବାଟବଣା ହୋଇଯାଏ । ଅନାବଶ୍ୟକ ଋଣ ଯେପରି କ୍ରେଡିଟ୍ କାର୍ଡ଼, ପର୍ସନାଲ ଲୋନ୍, ଇଏମଆଇ ଭଳି ସୁବିଧାର ଲାଭ ଉଠାଇବା ପାଇଁ ଚେଷ୍ଟା କରିଥାନ୍ତି । ଏହା ସେମାନଙ୍କ ମାସିକ ବଜେଟକୁ ବିଗାଡ଼ିଥାଏ ।
୩. ଅଧିକାଂଶ ବ୍ୟକ୍ତି ବିଶେଷ କରି ଯୁବପିଢ଼ି ଏମର୍ଜେନ୍ସି ପାଣ୍ଠି ରଖିନଥାନ୍ତି । ପ୍ରାୟତଃ ପ୍ରତିକୂଳ ପରିସ୍ଥିତିରେ ବ୍ୟକ୍ତି ଚିନ୍ତାଗ୍ରସ୍ତ ରହିଥାଏ । ଏହି ସମୟରେ ଏମର୍ଜେନ୍ସି ପାଣ୍ଠି କାମରେ ଆସିଥାଏ । ପ୍ରତ୍ୟେକ ମାସ ନିଜ ରୋଜଗାରର କିଛି ଅଂଶ ଆମେ ଏମର୍ଜେନ୍ସି ପାଣ୍ଠିରେ ରଖିପାରିବା । ଏହା ଏକ ଉତ୍ତମ ଅଭ୍ୟାସ ।
୪. ମାସିକ ବଜେଟ୍ ପ୍ଲାନ୍ ନ କରିବା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ବିନା ବଜେଟ୍ ପ୍ଲାନରେ ଅଧିକ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ଏଥିପାଇଁ ଏକ ଡାଏରୀ କିମ୍ବା ଖାତାରେ ମାସିକ ଆୟ ଏବଂ ବ୍ୟୟର ଟ୍ରାକ୍ ରେକର୍ଡ଼ ରଖନ୍ତୁ ।