ତ୍ରିପୁରା: ବାଂଲାଦେଶ ଡେପୁଟି ହାଇକମିସନରେ ଭଙ୍ଗାରୁଜା ଘଟଣା, ୪ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ୭ ବିକ୍ଷୋଭକାରୀ ଗିରଫ
ଅଗରତାଲା: ବାଂଲାଦେଶର ଅଗରତାଲାସ୍ଥିତ ଡେପୁଟି ହାଇକମିସନରେ ଭଙ୍ଗାରୁଜା ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ପୁଲିସ । ୩ ଜଣ ସବ୍ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯିବା ସହ ଡିଏସ୍ପିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପଶ୍ଚିମ ତ୍ରିପୁରା ଏସପି କିରଣ କୁମାର ଏହି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ତ୍ରିପୁରାରେ ଭାରତୀୟ ପତାକାକୁ ଅପମାନିତ କରିବା, ଇସ୍କନ ମନ୍ଦିର ସହ ଜଡ଼ିତ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିବା ଏବଂ ହିନ୍ଦୁଙ୍କ ସମେତ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ତ୍ରିପୁରାରେ ବିକ୍ଷୋଭ ଜାରି ରହିଛି । ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ସାମିଲ ହୋଇଥିଲେ ।
ଅଲ୍ ତ୍ରିପୁରା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ମାଲିକ ସଂଘ (ଏଟିଆରଓଏ) କହିଛି ଯେ ଭାରତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ଆମେ ନିଷ୍ପତ୍ତି ନେଇଛୁ ଯେ ସେମାନଙ୍କ ହୋଟେଲ ବାଂଲାଦେଶୀମାନଙ୍କ ପାଇଁ ଉପଲବ୍ଧ ହେବ ନାହିଁ । ସେହିପରି ଦୁଇ ଦିନ ତଳେ ଆଇଏଲ୍ଏସ୍ ହସ୍ପିଟାଲ ପକ୍ଷରୁ ବାଂଲାଦେଶୀଙ୍କ ଚିକିତ୍ସା କରାଯିବ ନାହିଁ ବୋଲି ଘୋଷଣା କରାଯାଇଥିଲା ।