ପୁଣି ନିଷ୍ଠୁର ପାଲଟିଲା ମଣିଷ! ଗୋଟିଏ ଜୀବନ୍ତ ପୋଷା ବିଲେଇକୁ ଜୀବନ୍ତ ଖାଇଗଲେ ଜଣେ ୨୭ ବର୍ଷୀୟା ମହିଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଆମ ଦୁନିଆର ମଣିଷମାନଙ୍କ ମଧ୍ୟରୁ ସତେ ଯେମିତି ମାନବିକତା ହଜିବାରେ ଲାଗିଛି । ନିକଟରେ ମଞ୍ଚ ଉପରେ କିଛି କଳାକାର ଜୀବନ୍ତ ଘୁଷୁରୀକୁ ମାରି ଖାଇଥିବା ବେଳେ ଏବେ ପୁଣି ଘଟିଛି ଉକ୍ତ ଘଟଣାର ପୁନରାବୃତ୍ତି । ବ୍ରହ୍ମପୁରରେ ପୌରାଣିକ ନାଟକ କଥାବସ୍ତୁ ପ୍ରଦର୍ଶନ ସମୟରେ କଳାକାରମାନେ ମଞ୍ଚରେ ସାପ ଖେଳ ସାଙ୍ଗକୁ ଜୀବନ୍ତ ଘୁଷୁରୀକୁ ଖାଇବାକୁ ପଛାଇଥିଲେ । ଅସୁର ଭୂମିକାରେ ଅଭିନୟ କରୁଥିବା କଳାକାରମାନେ ସତେ ଯେମିତି ସତ ସତିକା ଅସୁର ପାଲଟି ଯାଇଥିଲେ । ନାଟକ ପରିବେଷଣ କରିବା ସମୟରେ କିଛି କଳାକାର ନୃଶଂସତାର ସବୁ ସୀମା ଟପି ଯାଇଥିଲେ ।

ତେବେ ଘୁଷୁରୀ ପରେ ଏବେ ଆଉ ଏକ ଗୃହପାହିତ ପଶୁ ଉପରେ ମଣିଷ ବର୍ବରୋଚିତ ଅତ୍ୟାଚାର କରିଛି । ଗୋଟିଏ ପାଳିତ ବିଲେଇକୁ ଜଣେ ଆମେରିକୀୟ ମହିଳା ମାରିବା ପରେ ଜୀବନ୍ତ ଚୋବାଇ ଖାଇଥିଲେ । ମହିଳାଙ୍କ ହାତ ଓ ମୁହଁରେ ରକ୍ତର ଦାଗ ଦେଖିବାକୁ ପାଇଥିଲା ପୋଲିସ । ଆମେରିକକାର ଓହିଓରେ ଏପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣା ବିଷୟରେ କେହି କେବେ ବି କଳ୍ପନା କରିନଥିବେ । ମହିଳା ଜଣଙ୍କ ଜୀବନ୍ତ ବିଲେଇକୁ ଚୋବାଇ ଖାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଲୋକମାନେ ଏହି ଦୃଶ୍ୟ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଗତ ଅଗଷ୍ଟ ମାସରେ ଏହି ଘଟଣା ଘଟିଥିବା ବେଳେ ଜଣେ ୨୭ ବର୍ଷୀୟା ମହିଳା ଏପରି ଏକ ଅମାନବୀୟ କାରନାମା କରିଥିଲେ । ମହିଳା ଜଣଙ୍କ ଏବେ ଉକ୍ତ ଅପରାଧରେ ଜେଲରେ ରହିଥିବା ବେଳେ ତାଙ୍କୁ କୋର୍ଟ ଅଢ଼େଇ ବର୍ଷର ସଜ୍ଜା ଶୁଣାଇଛନ୍ତି । ମହିଳା ଜଣଙ୍କ ପ୍ରଥମେ ବିଲେଇଟିର ମୁଣ୍ଡ ଉପରେ ପାଦ ରଖିଥିଲେ ଓ ତା’ପରେ ତାକୁ ମାରି ଖାଇବାରେ ଲାଗିଥିଲେ ବୋଲି କୋର୍ଟରେ ପୋଲିସ ପକ୍ଷରୁ କୁହାଯାଇଥିଲା ।