Pink Ball ଟେଷ୍ଟ ଖେଳିବେନି No.1 କ୍ରିକେଟର: ଦ୍ୱିତୀୟ ଟେଷ୍ଟ ପୂର୍ବରୁ ବାଦ୍ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ: ‘ପର୍ଥ’ ବିଜୟ ପରେ ଆଡିଲେଡ ଟେଷ୍ଟ ଉପରେ ଟିମ ଇଣ୍ଡିଆର ନଜର । ଦ୍ୱିତୀୟ ଟେଷ୍ଟରେ ଅଧିନାୟକ ରୋହିତ ଏବଂ ଶୁଭମନ ଗିଲଙ୍କ ଏଣ୍ଟ୍ରି ଭାରତର ବ୍ୟାଟିଂ ଅର୍ଡରକୁ ଆହୁରି ମଜବୁତ କରିଛି । ତେଣୁ ପିଙ୍କ ବଲ ଟେଷ୍ଟରେ ବିଜୟ ସହ ସିରିଜରେ ଆଗୁଆ ରହିବାକୁ ଚେଷ୍ଟା କରିବ ରୋହିତ ସେନା । କିନ୍ତୁ ଆଡିଲେଡର ଏହି ଟେଷ୍ଟ ପୂର୍ବରୁ ଦଳରୁ ବାଦ୍ ପଡ଼ିଛନ୍ତି ଟିମ ଇଣ୍ଡିଆର ସର୍ବଶ୍ରେଷ୍ଠ ପିଙ୍କ ବଲ୍ କ୍ରିକେଟର । ଦ୍ୱିତୀୟ ଟେଷ୍ଟରୁ ତାଙ୍କୁ ବାଦ୍ ଦେବା ପାଇଁ ଦଳ ଚିନ୍ତା କରୁଥିବା ଜାଣିବାକୁ ମିଳିଛି । ଟେଷ୍ଟରେ ଦଳ ନିଜର ନମ୍ବର ୧ ଖେଳାଳି ରବିଚନ୍ଦ୍ରନ ଅଶ୍ୱୀନଙ୍କ ବିନା ମଇଦାନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଛି ।

ଆଡିଲେଡରେ ଅଶ୍ୱୀନଙ୍କ ରେକର୍ଡ ଖୁବ ଜବରଦସ୍ତ ରହିଛି । ଏହାପରେ ମଧ୍ୟ ପିଙ୍କ ବଲ ଟେଷ୍ଟରେ ଅଶ୍ୱୀନଙ୍କୁ ଦଳରୁ ବାଦ୍ ଦେବାକୁ ଚିନ୍ତା କରୁଛି ଟିମ ଇଣ୍ଡିଆ । ଅଶ୍ୱୀନଙ୍କ ସ୍ଥାନରେ ରୋହିତ ଏହି ମ୍ୟାଚରେ ଯୁବ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ଦେଇପାରେ ବୋଲି ସୂଚନା ମିଳିଛି । ପର୍ଥ ଟେଷ୍ଟରେ ମଧ୍ୟ ଅଶ୍ୱୀନ-ଜାଡେଜାଙ୍କୁ ଦଳରୁ ବାଦ୍ ଦେଇ ୱାଶିଂଟନଙ୍କୁ ଦଳରେ ସାମିଲ କରିଥିଲା ଭାରତ । ତେଣୁ ପିଙ୍କ ବଲ ଟେଷ୍ଟରେ ସୁନ୍ଦରଙ୍କ ଖେଳିବାର ସମ୍ଭାବନା ୯୦% ରହିଛି ବୋଲି କୁହାଯାଉଛି । ପର୍ଥ ଟେଷ୍ଟ ଅଶ୍ୱୀନ-ଜାଡେଜାଙ୍କ ଅପେକ୍ଷା ତାଙ୍କୁ ଦଳରେ ପ୍ରାଥମିକତା ମିଳିଥିଲେ ମଧ୍ୟ ସେ ଏହାର ଭରପୁର ଫାଇଦା ଉଠାଇ ପାରିନଥିଲେ । ଏହାପରେ ମଧ୍ୟ ତାଙ୍କୁ ଦ୍ୱିତୀୟ ଟେଷ୍ଟରେ ସାମିଲ କରାଯାଇପାରେ ।

ତେବେ ପିଙ୍କ ବଲ କ୍ରିକେଟରେ ଟିମ ଇଣ୍ଡିଆର ନମ୍ବର ୧ କ୍ରିକେଟର ହେଉଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ । ପିଙ୍କ ବଲରେ ଅଶ୍ୱୀନ ୧୮ଟି ୱିକେଟ ହାସଲ କରିଥିବା ବେଳେ ଆଡିଲେଡରେ ତାଙ୍କର ରେକର୍ଡ ଖୁବ ସୁନ୍ଦର ରହିଛି । ଗତ ଥର ଅଶ୍ୱୀନ ଏହି ଗ୍ରାଉଣ୍ଡରେ ୫ଟି ୱିକେଟ ହାସଲ କରିଥିଲେ । ବର୍ତ୍ତମାନ ସୁଦ୍ଧା ଆଡିଲେଡରେ ଅଶ୍ୱୀନ ମୋଟ ୧୬ଟି ସଫଳତା ନିଜ ନାମରେ କରିଛନ୍ତି । ଏହାପରେ ମଧ୍ୟ ରୋହିତ ଏବଂ ଟିମ ମ୍ୟାନେଜମେଣ୍ଟ ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଖେଳାଇବା ପାଇଁ ନିଷ୍ପତ୍ତି ନେଇପାରେ ।