ଜିଲ୍ଲା ପରିଷଦ ସଦସ୍ୟାଙ୍କୁ ଦଳରୁ ସସପେଣ୍ଡ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବରୁ ବିଭିନ୍ନ କାରଣରୁ ବିଜୁ ଜନତା ଦଳରୁ ଅନେକ ନେତା ଓ ନେତ୍ରୀଙ୍କୁ ସସପେଣ୍ଡ ଓ ବହିଷ୍କାର କରାଯାଇଥିବା ବେଳେ ଏହା ମଧ୍ୟରେ ପୁଣି ଜଣଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା କାରଣରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କଟକ ଜିଲ୍ଲାର ଜୋନ ନଂ-୩୧ର ଜିଲ୍ଲା ପରିଷଦ ସଦସ୍ୟା ନୟନା ସାହୁଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଛି । ଏନେଇ ବିଜେଡି ସୁପ୍ରିମୋଙ୍କ ଦସ୍ତଖତ ସମ୍ବଳିତ ଏକ ପ୍ରେସ୍ ରିଲିଜ୍ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଦୁଇଦିନ ତଳେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେଡି ଛାଡ଼ିଥିଲେ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ରଘୁପତି । ଏନେଇ ସେ ଦଳର ସୁପ୍ରିମୋଙ୍କୁ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଥିଲେ । ତେବେ ଦଳରୁ ଇସ୍ତଫା ଦେଇଥିଲେ ହେଁ ସେ କେଉଁ ଦଳରେ ସାମିଲ ହେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନଥିଲେ । ସେ ଆଗକୁ ଲୋକଙ୍କ ସେବା କରିବେ ଓ ଅଞ୍ଚଳର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଳି କହିଥିଲେ ।

Nayana Sahoo