ନୂଆଦିଲ୍ଲୀ: ପୁରୁଷ ଜୁନିୟର ଏସିଆ କପ୍ ହକି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ । ଆଜି ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଭାରତ ପ୍ରତିପକ୍ଷ ମାଲେସିଆକୁ ୩-୧ ଗୋଲ ବ୍ୟବଧାନରେ ପରାସ୍ତ କରି ଫାଇନାଲକୁ ଟିକେଟ କାଟିଛି । ସେହିପରି ଦ୍ୱିତୀୟ ସେମିରେ ଜାପାନକୁ ୪-୨ ଗୋଲରେ ପରସା୍ତ କରି ପାକିସ୍ତାନ ମଧ୍ୟ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ହେବ ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହିଛି । ପୁଲ-ଏ’ ପର୍ଯ୍ୟାୟରେ ଅପରାଜେୟ ରହିବା ସହ ଭାରତ ସେମିରେ ପ୍ରବେଶ କରିଥିଲା । ଗତ ୨ ତାରିଖ ଦିନ ଭାରତ ପୁଲ-ଏ’ର ଅନ୍ତିମ ମ୍ୟାଚରେ ଦକ୍ଷିଣ କୋରିଆକୁ ୮-୧ରେ ପରାସ୍ତ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଉଚ୍ଚକୋଟୀର ପ୍ରଦର୍ଶନ କରିବା ସହ ୪ଟି ମ୍ୟାଚରେ ବିଜୟୀ ହୋଇ ମୋଟ ୧୨ ପଏଣ୍ଟ ହାସଲ କରି ସେମିରେ ପହଞ୍ଚିଥିଲା । ସେହିପରି ଜାପାନ ୯ ପଏଣ୍ଟ ପାଇବା ସହ ଦ୍ୱିତୀୟ ସ୍ଥାନରେ ରହି ସେମିକୁ ଉନ୍ନୀତ ହୋଇଥିଲା । ଅନ୍ୟପକ୍ଷରେ ପୁଲ-ବି’ରେ ପାକିସ୍ତାନ ୧୨ ପଏଣ୍ଟ ପାଇ ପୁଲ୍ ଟପ୍ପର ହୋଇ ସେମିରେ ପ୍ରବେଶ କରିଥିଲା । ମାଲେସିଆ ୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହି ସେମିରେ ପ୍ରବେଶ କରିଥିଲା । ଏଥର ସେମିରେ ପ୍ରବେଶ କରିଥିବା ୪ଟି ଟିମ୍ ୨୦୨୫ ଜୁନିୟର ହକି ବିଶ୍ୱକପ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି ।