କେବେ ସବୁଜ, କେବେ ଲାଲ… ଋତୁ ହିସାବରେ ରଙ୍ଗ ବଦଳାଏ ଏହି ନଦୀ: କ’ଣ ରହିଛି ରହସ୍ୟ

ଓଡ଼ିଶା ଭାସ୍କର: ପ୍ରକୃତିର ଲୀଳା ଅପାର । ପ୍ରକୃତି କୋଳରେ ଅନେକ ରହସ୍ୟର ପରଦା ଅଛି । ଏହି ରହସ୍ୟରେ ମଣିଷ ଅଭିଭୂତ ହେଉଛି । ପ୍ରକୃତି ରହସ୍ୟର ପରଦା ଆଡଉ ଆଡଉ ଅନେକ ଯୁଗ ବିତି ଯାଉଛି । ଆମ ପୃଥିବୀରେ ଏପରି ଏକ ସ୍ଥାନ ରହିଛି ଯାହାକୁ ଦେଖିଲେ ସମସ୍ତଙ୍କ ମନ ଖୁସି ହୋଇଯାଉଛି । ଏହା କଲମ୍ବିଆରେ ଥିବା କାନୋ ର୍କିଷ୍ଟାଲ୍ସ ନଦୀ ଅଟେ । ଏହି ନଦୀ ଋତୁ ଅନୁଯାୟୀ ରଙ୍ଗ ବଦଳି ଥାଏ । ଏହି ନଦୀ କେତେବେଳେ ସବୁଜ ତ କେତେବେଳେ ନାରଙ୍ଗୀ, କେତେବେଳେ ଲାଲ ତ କେତେବେଳେ ନୀଳ ଭଳି ରଙ୍ଗ ଧାରଣ କରେ ।

ସୂଚନା ଯୋଗ୍ୟ ଯେ, ଋତୁ ଅନୁଯାୟୀ ରଙ୍ଗ ବଦଳୁଥିବା ଏହି ନଦୀକୁ ଲିକ୍ୱିଡ ରେନବୋ ବୋଲି ମଧ୍ୟ କୁହାଯାଏ । ଏହା ବିଶ୍ୱର ସୁନ୍ଦରତମ ନଦୀଙ୍କ ମଧ୍ୟରେ ଅନ୍ୟତମ ଅଟେ । ନଦୀର ରଙ୍ଗ ପରିବର୍ତ୍ତନ ଜୁନ ମାସରୁ ଡିସେମ୍ବର ମାସ ଭିତରେ ହୋଇଥାଏ । ଏହି ନଦୀଟି ପ୍ରାୟ ୩୦ କିଲୋମିଟର ପର୍ୟ୍ୟନ୍ତ ପ୍ରଭାହିତ ହେଉଛି । ଏକ ରିପୋର୍ଟରୁ ଜଣା ପଡିଛି ଯେ, ପ୍ରକୃତରେ ମାକାରେନିଆ କ୍ଲାଭିଗେରା ନାମକ ନଦୀରେ ଏକ ଗଛ ଥିବା ଯୋଗୁଁ କନୋ କ୍ରିଷ୍ଟାଲ୍ସର ରଙ୍ଗ ଋତୁ ଅନୁଯାୟୀ ବଦଳିବା ଭଳି ଲାଗିଥାଏ । ବର୍ଷା ଓ ଶୀତ ଦିନରେ ନଦୀର ପାଣି ଉପରେ ସ୍ଥାନ ସ୍ଥାନରେ ଭାସୁଥିବା ଏହି ଗଛ ଲାଲ ରଙ୍ଗ ଧାରଣ କରେ । ସେହିପରି ଅନ୍ୟ ଦିନରେ କେତେବେଳେ ଏହା ସବୁଜ ତ କେତେବେଳେ ଏହା ନାରଙ୍ଗୀ ଓ ହଳଦୀଆ ରଙ୍ଗ ହୋଇଯାଏ । ଏଥି ଯୋଗୁଁ ଏହି ନଦୀର ରଙ୍ଗ ପରିବର୍ତ୍ତନ ହେବା ଭଳି ଦେଖା ଯାଏ ।

ପର୍ୟ୍ୟଟକମାନେ ଖୁବ ଆନନ୍ଦର ସହ ଏଠାରେ ଭ୍ରମଣ କରନ୍ତି । ସୂଚନା ମିଳିଛି ଏଠାରେ କିଛି ସ୍ୱତନ୍ତ୍ର ନିୟମ ରହିଛି, ସେଥି ମଧ୍ୟରୁ ଗୋଟିଏ ହେଲା, ଗୋଟିଏ ଦିନରେ ଏଠାକୁ ୨୦୦ରୁ ଅଧିକ ପର୍ୟ୍ୟଟକ ଯାଇ ପାରିବେ ନାହିଁ । ନଦୀକୁ ଦେଖିବା ପାଇଁ ଏକା ଥରରେ ୭ଜଣଙ୍କୁ ହିଁ ଛଡାଯାଏ ।