ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଭାରତୀୟ ସାଙ୍କେତିକ ଭାଷା ପାଇଁ ପି.ଏମ୍. ଇ-ବିଦ୍ୟା ଡି.ଟି.ଏଚ୍. ଚ୍ୟାନେଲ୍ର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ମଧ୍ୟ ସାମିଲ୍ ହେବେ । ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହାମାଧ୍ୟମରେ ଶ୍ରବଣବାଧିତ ପିଲା, ବ୍ୟକ୍ତିବିଶେଷ ଏବଂ ସେମାନଙ୍କପାଇଁ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କ ସମେତ ଶ୍ରବଣବାଧିତଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବାପାଇଁ କାର୍ଯ୍ୟ କରୁଥିବା ସଙ୍ଗଠନଗୁଡ଼ିକ ଏଥିରେ ଭାଗ ନେଇପାରିବେ । ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ସମାବେଶୀ ଶୈକ୍ଷିକ ବାତାବରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସାଙ୍କେତିକ ଭାଷା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।