ନୂଆଦିଲ୍ଲୀ: ରାଜ୍ୟସଭାରେ ଦେଖାଦେଇଥିବା ନୋଟ୍ ଦୁର୍ନୀତି ପରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ନିକଟରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭିଙ୍କ ଆସନ ତଳୁ ବିଡ଼ା ବିଡ଼ା ନୋଟ ଜବତ କରାଯାଇଥିଲା । ଗୁରୁବାର ସଂସଦରେ ରୁଟିନ୍ ସୁରକ୍ଷା ଯାଞ୍ଚ୍ ସମୟରେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିଲା । ଏନେଇ ସିଂଘଭି ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଥିଲେ, ‘ସେ ନିଜ ପାଖରେ କେବେ ୫୦୦ ଟଙ୍କିଆ ନୋଟ୍ ରଖନ୍ତି ନାହିଁ, ୫୦୦ ଟଙ୍କିଆ ନୋଟ୍ ବିଡ଼ା ରଖିବା ଦୂରର କଥା ।’ ଏହି ପରିପ୍ରେକ୍ଷୀରେ କଂଗ୍ରେସର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଥିଲା ।
ବାସ୍ତବରେ ସଂସନରେ ପର୍ସ କିମ୍ବା ୱାଲେଟ୍ ସାଥିରେ ନେବା ପାଇଁ ଅନୁମତି ଅଛି । କିନ୍ତୁ ଅତ୍ୟଧିକ ନୋଟ୍ ନେବା ଉପରେ ରୋକ୍ ରହିଛି । ୨୦୦୮ରେ ‘କ୍ୟାଶ୍ ଫର୍ ନୋଟ୍’ ପରେ ଏହି ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇଥିଲା । ତେବେ ଆସନ୍ତୁ ଜାଣିବା ସଂସଦକୁ କେଉଁ ଜିନିଷ ନେଇପାରିବା ଏବଂ କେଉଁଟା ନାହିଁ ।
ବ୍ୟକ୍ତିଗତ ଜିନିଷ ନେବାର ନିୟମ
ସଂସଦକୁ ବ୍ୟକ୍ତିଗତ ଜିନିଷ ଯେପରି ଛୋଟ ପର୍ସ, ୱାଲେଟ୍ ସହ ଅନ୍ୟ ଅବଶ୍ୟକୀୟ ଜିନିଷ ପାଇଁ ଅନୁମତି ରହିଛି । ମହିଳା ସାଂସଦଙ୍କୁ ହ୍ୟାଣ୍ଡ୍ ବ୍ୟାଗ୍ ପାଇଁ ଅନୁମତି ରହିଛି । ଗୃହକାର୍ଯ୍ୟ ସମୟରେ କୌଣସି ବାଧା ଦେବା ଉଚିତ ନୁହେଁ । ଏହା ବ୍ୟତୀତ ଗୃହକାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଯେପରି ଜରୁରୀ ଦସ୍ତାବିଜ, ଭାଷଣ ନୋଟ୍ସ ଓ ସାମଗ୍ରୀ, ଇଲେକ୍ଟ୍ରୋନିକ୍ ଉପକରଣ(ମୋବାଇଲ, ଟାବଲେଟ୍, ଲାପଟପ୍), କଲମ, ପେପର ଭଳି ଅନ୍ୟାନ୍ୟ ଷ୍ଟେସନାରୀ, ହାଲୁକା ଜଳଖିଆ ।
ସଂସଦକୁ କେଉଁ ଜିନିଷ ନେବା ମନା ?
ନୋଟ୍ ବିଡ଼ା, ଅସ୍ତ୍ରଶସ୍ତ୍ର କିମ୍ବା କୌଣସି ସୁରକ୍ଷା ଉପକରଣ, ଆୱାଜ୍ ସୃଷ୍ଟି କରୁଥିବା ଉପକରଣ ଯେପରି ହ୍ୱିସିଲ, ବିନା ଅନୁମତିରେ କ୍ୟାମେରା ଭଳି ରେକର୍ଡ଼ି ଉପକରଣ, ପ୍ରଦର୍ଶନ ସାମଗ୍ରୀ(ପ୍ଲାକାର୍ଡ଼, ପୋଷ୍ଟର, ବ୍ୟାନର) । ଜଣେ ସାଂସଦ ଉପରୋକ୍ତ ନିୟମ ବିରୋଧରେ ଗଲେ ସଂସଦଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂସଦର ଅନୁଶାସନ କମିଟି ମାମଲାର ଯାଞ୍ଚ୍ କରିବେ ଏବଂ ସାଂସଦ ଦେଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ ନିଲମ୍ବନ କିମ୍ବା ଅନ୍ୟ ଦଣ୍ଡ ଶୁଣାଇପାରିବେ ।