ନୂଆଦିଲ୍ଲୀ: ଦେଶରେ ବଢୁଥିବା ଜନସଂଖ୍ୟା ଏବେ ଚିନ୍ତାର କାରଣ ହୋଇଛି । ଜନସଂଖ୍ୟରେ ସବୁ ଦେଶକୁ ପଛରେ ପକାଇ ଶୀର୍ଷରେ ପହଞ୍ଚିଛି ଭାରତ । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବେ ଅଣ୍ଟା ଭିଡିଲେଣି । ବଢୁଥିବା ଜନସଂଖ୍ୟାକୁ କାବୁ କରିବା ପାଇଁ ସରକାର ଦୀର୍ଘଗାମୀ ଯୋଜନା ଉପରେ କାମ କରୁଛନ୍ତି । ଯାହା ୨୦୬୦ ସୁଦ୍ଧା ଦେଶରେ ସ୍ଥିର ଜନସଂଖ୍ୟା ଲକ୍ଷକୁ ସଫଳ କରାଇବ । ଏହା ‘ସୁସ୍ଥ ଶିଶୁ ଏବଂ ସୁସ୍ଥ ମାଆ’ ଉପରେ ବେଶୀ ଫୋକସ କରିବା ନେଇ ସୂଚନା ।
ତେବେ ୨୦୧୧ରେ ଶେଷ ଥର ପାଇଁ ଦେଶରେ ଜନଗଣନା ହୋଇଥିଲା । ଏହା ପରେ ପୁଣି ଥରେ ୨୦୨୫ରେ ଜନଗଣନା ହେବାକୁ ଯାଉଛି , ଯାହା ଆଗାମୀ ବର୍ଷ ୨୦୨୬ ପର୍ଯ୍ୟନ୍ତ ଚାଲିବ । ବର୍ତ୍ତମାନ ଆକଳନ ଅନୁଯାୟୀ ଏବେ ଦେଶର ଜନସଂଖ୍ୟା ୧୪୨ କୋଟି ଛୁଇଁଲାଣି ।
ସରକାରୀ ସୂଚନା ଅନୁଯାୟୀ, ଦେଶର ଜନସଂଖ୍ୟାର ଗ୍ରାଫ ଯେଉଁ ହିସାବରେ ଆଗକୁ ବଢୁଛି, ଏହାକୁ ନେଇ ସରକାର ଆଶାବାଦୀ ଅଛନ୍ତି । ପ୍ରଜନନ ହାର ଦର୍ଶାଉଛି ଆମେ ୨୦୬୦ ବେଳକୁ ଆମେ ଜନସଂଖ୍ୟାର ଏକ ସ୍ଥିର ଅନୁପାତ ହାସଲ କରିବାକୁ ଯାଉଛୁ । ଯେଉଁଥିରେ ସରକାରଙ୍କ ଧ୍ୟାନ ଆସନ୍ତା ୪ ଦଶନ୍ଧି ଉପରେ ରହିଛି । ପରିବାର ନିୟୋଜନ ଯୋଜନା ଅନ୍ତର୍ଗତ ‘ସୁସ୍ଥ ଶିଶୁ ସୁସ୍ଥ ମାଆ’କୁ ଅଧିକ ସକ୍ରିୟ କରିବା ଲକ୍ଷ୍ୟରେ ରହିଛି । ଯେଉଁଥିରେ ପ୍ରତି ପରିବାରରେ ଦୁଇଟି ଶିଶୁ, ତାଙ୍କର ସୁସ୍ଥ ମାଆ ଏବଂ ପ୍ରଜନନର ଉଚିତ୍ ଅନ୍ତର ନେଇ ସଚେତନତା କରିବା ଲକ୍ଷ୍ୟ ରହିଛି । ଏନେଇ ସରକାରଙ୍କ କହିବା ଅନୁଯାୟୀ, ରିପ୍ଲେସମେଣ୍ଟ ରେସିଓ ବା ପ୍ରତିସ୍ଥାପନା ଅନୁପାତ ସେତେବେ ବେଳେ ଏକ ହୋଇପାରିବ ଯେତେବେଳେ ସମୁଦାୟ ପ୍ରଜନନର ହାର ୨.୧ରେ ରହିବ ।
ତେବେ କହିରଖୁଛୁ, ଦୀର୍ଘ ୧୪ ବର୍ଷ ପରେ ଆସନ୍ତା ବର୍ଷ ଦେଶରେ ଜନଗଣନା ହେବାକୁ ଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ, ପ୍ରତି ଦଶ ବର୍ଷରେ କରାଯାଇଥିବା ଜନଗଣନା ୧୯୯୧, ୨୦୦୧, ୨୦୧୧ ଆରମ୍ଭରେ କରାଯାଇଥିଲା । ଯାହାର ପରବର୍ତ୍ତୀ ଦଶ ବର୍ଷ ଅର୍ଥାତ୍ ପରବର୍ତ୍ତୀ ଜନଗଣନା ୨୦୨୧ରେ ହେବାର ଥିଲା । ହେଲେ କୋଭିଡ୍ ମାହାମାରୀ କାରଣରୁ ଏହାକୁ ସ୍ଥଗିତ ରଖିବାକୁ ପଡିଲା । ଯାହା ଏବେ ପରଠୁ ଜନଗଣନା ସାଇକେଲକୁ ମଧ୍ୟ ପରିବର୍ତ୍ତନ କରିବାକୁ ଯାଉଛି । ବର୍ତ୍ତମାନ ୨୦୨୫ରେ ହେବାକୁ ଥିବା ଜନଗଣନା ପରେ ପ୍ରତି ଦଶ ବର୍ଷ ବ୍ୟବଧାନରେ ୨୦୩୫, ପରେ ୨୦୪୫ ଏବଂ ୨୦୫୫ରେ ଅନୁଷ୍ଠିତ ହେବ ।