ଭାରତୀୟ କ୍ରିକେଟ ପାଇଁ ଅଶୁଭ ଡିସେମ୍ବର ମାସ! ୪ ବର୍ଷ ପରେ ପୁଣି ଥରେ ଆଡିଲେଡ ଟେଷ୍ଟରେ ପରାଜୟର ଦ୍ୱାରଦେଶରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବୃହତ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ପରାଜୟ ଦ୍ୱାରଦେଶରେ ପହଞ୍ଚିଛି । ପ୍ରଥମ ଇନିଂସରେ ୧୮୦ ରନରେ ଅଲଆଉଟ୍ ହୋଇଥିବା ଭାରତୀୟ ଟିମ୍ ଆଜି ଦ୍ୱିତୀୟ ଦିନରେ ଦୁର୍ବଳ ବୋଲିଂର ପ୍ରମାଣ ଦେଇଥିଲା । ଫଳରେ ଆଜି ୯୪/୧ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ୩୩୭ ରନ୍ ସଂଗ୍ରହ କରିବା ସହ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ୨୯ ରନରେ ଆଗୁଆ ରହିଛି । ଆଉ ୩ ଦିନ ଖେଳ ବାକି ଥିବାବେଳେ ଭାରତ ଏହା ମଧ୍ୟରେ ୫ ୱିକେଟ ହରାଇ ୧୨୮ ରନ୍ ସଂଗ୍ରହ କରିଛି । ଭାରତର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନମାନେ ଆଉଟ୍ ହୋଇ ସାରିଥିବାରୁ ୩ୟ ଦିନରେ ୱିକେଟ୍ ବଞ୍ଚାଇବ ଭ୍ରମଣକାରୀ ଦଳ ପାଇଁ ମୁସ୍କିଲ ହୋଇଯିବ । କହିବାକୁ ଗଲେ ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଡ୍ରାଇଭର ସିଟରେ ବସି ସାରିଥିବା ବେଳେ ଭାରତର ପରାଜୟ ଏବେ ଆସନ୍ନ କହିବା ଭୁଲ୍ ହେବନି ।

ତେବେ ଆଜି ପୁଣି ଭାରତ ପାଇଁ ଖଳନାୟକ ସାଜିଥିଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରେଭିସ୍ ହେଡ୍ । ଆଜି କଙ୍ଗାରୁ ଟିମର ସମସ୍ତ ବ୍ୟାଟ୍ସମ୍ୟାନ ଦୁର୍ବଳ ପ୍ରଦର୍ଶନ କରିଥିବା ବେଳେ ହେଡ୍ ଗୋଟିଏ ପଟେ ତିଷ୍ଠି ରହି ୧୪୦ ସଂଗ୍ରହ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । ତେବେ ଏହା ମଧ୍ୟରେ ଏକ ବଡ଼ ସଂଯୋଗ ସାମ୍ନାକୁ ଆସୁଛି । ୪ ବର୍ଷ ପୂର୍ବେ ଆଡିଲେଡ୍ ଟେଷ୍ଟରେ ଡିସେମ୍ବର ମାସରେ ଭାରତୀୟ ଟିମ୍ ପରାଜୟ ବରଣ କରିଥିବା ବେଳେ ଏବେ ମଧ୍ୟ ପୁଣି ସେହି ପୁରୁଣା ଇତିହାସର ପୁନରାବୃତ୍ତି ଘଟିବାକୁ ଯାଉଛି । ୪ ବର୍ଷରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡରେ ଡେ-ନାଇଟ ଟେଷ୍ଟ ମ୍ୟାଚ ଖେଳାଯାଇଥିବା ବେଳେ ଭାରତ ଦ୍ୱିତୀୟ ପାଳିରେ ମାତ୍ର ୩୬ ରନରେ ଅଲଆଉଟ୍ ହେବା ସହ ପରାସ୍ତ ହୋଇଥିଲା ।

ଏବେ ୨୦୨୪ ଡିସେମ୍ବରରେ ମଧ୍ୟ ଏଡିଲେଡ ଓଭଲ ଗ୍ରାଉଣ୍ଡରେ ପିଙ୍କ ବଲ ସାମ୍ନାରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ସତେ ଯେମିତି ଆତ୍ମସମର୍ପଣ କରିଦେଇଛନ୍ତି । ଯଦିଓ ଏଥର ପ୍ରଥମ ଇନିଂସରେ ଭାରତ ୩୬ ରନରେ ସୀମିତ ରହିନଥିଲା, ତେବେ ଭାରତର ଦୁର୍ବଳ ପ୍ରଦର୍ଶନ ପାଇଁ ଏବେ ହାରିବା ଏକପ୍ରକାର ସ୍ପଷ୍ଟ ହୋଇ ସାରିଛି । ତେଣୁ ଡିସେମ୍ବର ମାସ ଓ ଆଡିଲେଡ ପୁଣି ଥରେ ଭାରତ ପାଇଁ ଅଶୁଭ ସାଜିଛନ୍ତି । ପ୍ରଥମ ମ୍ୟାଚରେ ବଡ଼ ଝଟକା ଖାଇଥିବା କଙ୍ଗାରୁ ପୂର୍ବ ତ୍ରୁଟିରୁ ଶିକ୍ଷାଲାଭ କରି କମବ୍ୟାକ୍ କରିଥିବା ବେଳେ ଭାରତ କିନ୍ତୁ ଏ କ୍ଷେତ୍ରରେ ପଛରେ ପଡ଼ିଯାଇଥିଲା । ଆଜି ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଯଥାକ୍ରମେ ୬ ଓ ୧୧ ରନ୍ ସଂଗ୍ରହ କରିଥିବା ବେଳେ ଓପନର ଯଶସ୍ୱୀ ଜୟସ୍ୱାଲ ଓ କେ.ଏଲ ରାହୁଲ ମଧ୍ୟ କମାଲ କରିପାରିନଥିଲେ । ଉଭୟ ବ୍ୟାଟିଂ ଓ ବୋଲିଂରେ ଦୟନୀୟ ପ୍ରଦର୍ଶନ କାରଣରୁ ଭାରତ ଏହି ଟେଷ୍ଟରେ ଏବେ ବ୍ୟାକଫୁଟରେ ରହିଛି । ଏହି ମ୍ୟାଚରେ ଜିତିବା କିମ୍ବା ଡ୍ର କରିବାକୁ ହେଲେ ଭାରତକୁ କିଛି ବଡ଼ ଧରଣର କମାଲ୍ କରିବାକୁ ପଡ଼ିବ ।