ଆଗ ଭୁଶୁଡିଲା ଛାତ, ଫାଟିଲା ଗ୍ୟାସ ପାଇପ ଲାଇନ ଓ ଲାଗିଗଲା ନିଆଁ…

ନୂଆଦିଲ୍ଲୀ- ଦିଲ୍ଲୀର ନରେଲା ଅଞ୍ଚଳରେ ଡିଡିଏ ଜନତା ଫ୍ଲାଟର ଛାତ ଭୁଶୁଡିବାରୁ ଏଲପିଜି ଗ୍ୟାସ ପାଇପ ଲାଇନ ଭାଙ୍ଗି ଅଗ୍ନିକାଣ୍ଡ । ଏଥିରେ ଦୁଇ ମହଲା କୋଠାର ସମସ୍ତ ଆସବାବ ପତ୍ର ଜଳିଯିବା ସହ ୬ ଜଣ ଜଳିଯାଇଛନ୍ତି । ନରେଲାର ଶନି ବଜାର ଅଞ୍ଚଳରେ ରବିବାର ସକାଳ ପ୍ରାୟ ସାଢେ ୭ଟାରେ ଏହି ଦୁର୍ଘଟଣା ଘଟିଛି । ନିଆଁରେ ଜଳିଯାଇଥିବାଙ୍କ ମଧ୍ୟରେ ୩ ଛୁଆ ରହିଛନ୍ତି । ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଅଗ୍ନିଶମ ଅଧିକାରୀଙ୍କ ସୂଚନା ମୁତାବକ, ସକାଳ ୭,୫୩ରେ ଅଗ୍ନିଶମ ବାହିନୀ ଶନି ବଜାରରେ ନିଆଁ ଲାଗିଥିବା ସୂଚନା ପାଇ ଦୁଇଟି ଦମକଳ ବାହିନୀ ସେଠାକୁ ଆସିଥିଲା । ଅଧିକାରୀ କହିଛନ୍ତି ଡିଡିଏ ଜନତା ପ୍ଳାଟର ଛାତ ଭୁଶୁଡିବାରୁ ପିଏନଜି ଗ୍ୟାସ ପାଇପ ଭାଙ୍ଗି ଗ୍ୟାସ ନିର୍ଗତ ହୋଇଥିଲା । ଦେଖୁ ଦେଖୁ ନିଆଁ ପୂରା ଘରେ ବ୍ୟାପିଯାଇଥିଲା । ଏଥିରେ ଘରର ୩ ପିଲାଙ୍କ ସହ ମୋଟ ୬ ଜଣ ଆହତ ହୋଇଛନ୍ତି । ଜରୁରୀକାଳୀନ ସେବା ଯୋଗାଣକାରୀ ସଂସ୍ଥା ସେଠାରେ ପହଞ୍ଚିବା ଆଗରୁ ସ୍ଥାନୀୟ ଲୋକ ଜୀବନକୁ ବାଜି ଲଗାଇ ସମସ୍ତଙ୍କୁ ବାହାର କରିଥିଲେ । ସେମାନଙ୍କୁ ତୁରନ୍ତ ହିଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଏହି ୬ ଜଣ ନିଆଁରେ ଜଳି ଯିବା ସହ ଛାତ ଭୁଶୁଡିବା କାରଣରୁ ସେମାନଙ୍କ ଶରୀରରେ ଖଣ୍ଡିଆ, ଖାବରା ରହିଥିବା ଡାକ୍ତର ସୂଚନା ଦେଇଛନ୍ତି । ସେମାନଙ୍କ ଶରୀର ୪୫ରୁ ୫୦ ପ୍ରତିଶତ ଯାଏ ଜଳିଛି । ତେବେ ଶରୀରରେ ଥିବା ଅନ୍ୟ ଆଘାତ ଏମାନଙ୍କ ପାଇଁ ଅଧିକ କ୍ଷତିକାରକ ହୋଇଛି । ଡାକ୍ତର ସମସ୍ତଙ୍କର ଚିକିତ୍ସାରେ ଲାଗିଛନ୍ତି ।