ଜୁପିଟର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

ଖୋର୍ଦ୍ଧା: ଭୁବନେଶ୍ୱର ଗଙ୍ଗପଡ଼ାସ୍ଥିତ ଜୁପିଟର ପବ୍ଲିକ୍ ସ୍କୁଲରେ ବହୁ ପ୍ରତୀକ୍ଷିତ ବାର୍ଷିକ ଉତ୍ସବ ‘ପାଥେୟମ୍’ ଏକ ସୃଜନଶୀଳତାର ବାର୍ତ୍ତା ଦେଇ ପାଳନ କରିଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ କୁମାର ରାଣା , ମୁଖ୍ୟ ବକ୍ତା ନାଇଜର ରେଜିଷ୍ଟ୍ରାର୍ ଡକ୍ଟର ଅଭୟ କୁମାର ନାୟକ , ସମ୍ମାନନୀୟ ଅତିଥି ଭାବେ ଜୁପିଟର ଗ୍ରୁପର ସଭାପତି ବିରଞ୍ଚି ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଜୀବନରେ ଶିକ୍ଷାର ଗୁରୁତ୍ୱ ବୁଝାଇଥିଲେ । ବିଗତ କିଛି ବର୍ଷ ହେବ ଜୁପିଟର ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଛି । ଭବିଷ୍ୟତ ପିଢିକୁ ନୂଆ ଦିଗଦର୍ଶନ ଦେବାରେ ସକ୍ଷମ ହୋଇଛି ।

ଏଥିପାଇଁ ଶ୍ରୀଯୁକ୍ତ ରାଣା ବିଦ୍ୟାଳୟର ଉଦ୍ୟମକୁ ପ୍ରଶଂସା କରି ସାମଗ୍ରିକ ଶିକ୍ଷାର ଅଭିବୃଦ୍ଧି ନିମନ୍ତେ ଆହ୍ବାନ ଦେଇଥିଲେ । ସେହିପରି ଡକ୍ଟର ନାୟକ ନୂତନତ୍ଵର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସ୍କୁଲର କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇ ଆଗକୁ ପିଲାମାନେ କେମିତି ଶିକ୍ଷା ବ୍ୟତୀତ ଖେଳକୁଦ ଓ ଅନ୍ୟାନ୍ୟ ଦିଗ ପ୍ରତି ଆକର୍ଷିତ ହେବେ ସେହି ଦିଗରେ ପ୍ରୟାସ କରାଯାଇଛି।

ଏହି ଉତ୍ସବରେ ଉପ-ସଭାପତି ବିଶ୍ୱରଞ୍ଜନ ପାତ୍ର , ନିର୍ଦ୍ଦେଶକ ବିଶ୍ୱନାଥ ପଣ୍ଡା , ଏକାଡେମୀ ନିର୍ଦ୍ଦେଶକ କେ. ଭରତଚନ୍ଦ୍ର କଳାପାହାଡ , ସ୍କୁଲର ନିର୍ଦ୍ଦେଶିକା ସାଗରୀକା ପଣ୍ଡା ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ଉପଭୋଗ କରିଥିଲେ । ଅଭିଭାବକମାନଙ୍କ ଉପସ୍ଥିତି ଓ ଶିକ୍ଷକ , ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ କୁନିକୁନି ପିଲାମାନଙ୍କର କୃଷ୍ଣଲୀଳା, ମହାଭାରତର ଦ୍ରୌପଦୀ ବସ୍ତ୍ରହରଣ ଉପସ୍ଥାପନ କରିଥିଲେ । ଏଥିସହ ସାଂସ୍କୃତିକ ନୃତ୍ୟ ଗୀତର ମୂର୍ଚ୍ଛନାରେ ସ୍କୁଲର ପରିସର ଉତ୍ସବ ମୁଖର ହୋଇଉଠିଥିଲା ।

ଉତ୍ସବରେ ଅଧ୍ୟକ୍ଷା ନିରୂପମା ପାତ୍ର ସ୍କୁଲର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଗ୍ରୁପର ସଭାପତି ଶ୍ରୀଯୁକ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିବା ସହିତ ଆହୁରି ଆଗକୁ ଯିବାକୁ ଛାତ୍ରଛାତ୍ରୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଉତ୍ସାହିତ କରିଥିଲେ ।