ସତର୍କ ରୁହନ୍ତୁ କଟକବାସୀ ! ଡ୍ରେନ୍ କାମବେଳେ ଶ୍ରମିକଙ୍କ ଉପରେ କାନ୍ଥ ପଡ଼ିବା ଘଟଣାର ହେବ ତଦନ୍ତ, କଣ୍ଟ୍ରାକ୍ଟରଙ୍କୁ ଦାୟିତ୍ୱହୀନ କହିଲେ ମେୟର

କଟକ: ଡ୍ରେନ୍ କାମବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯିବ । ଏ ନେଇ ସୂଚନା ଦେଇଛନ୍ତି କଟକ ମେୟର । ଗୋଟିଏ ମାସ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କଟକ ମେୟରଙ୍କ ନିର୍ଦ୍ଦେଶ । କଟକ ମହାନଗର ନିଗମ ୩ ଜଣିଆ ତଦନ୍ତ କମିଟି ଗଠନ କରିଛି । ଘଟଣାସ୍ଥଳରେ କଣ୍ଟ୍ରାକ୍ଟର ଅବା ସୁପରଭାଇଜର ନ ରହିବା ଦାୟିତ୍ୱହୀନତା । ମୃତକଙ୍କ ପରିବାରକୁ ଅନୁକମ୍ପା ରଶି ପାଇଁ ସୁପାରିସ କରାଯିବ ବୋଲି କହିଲେ ମେୟର ସୁବାସ ସିଂ । ରବିବାର ଅନରାହ୍ଣରେ କଟକ ବିଡ଼ାନାସୀ ଗୋପାଳ ସାହିରେ ଡ୍ରେନ୍ କାମ ଚାଲିଥିବାବେଳେ ୩ ଜଣ ଶ୍ରମିକଙ୍କ ଉପରେ କାନ୍ଥ ମାଡ଼ିବସିଥିଲେ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗତବର୍ଷ ଜୁଲାଇ ୧୯ ତାରିଖରେ ମଧ୍ୟ ଜ‌ଣଙ୍କର ମୃତ୍ୟୁ ହୋଇଥିଲା। ବକ୍ସିବଜାର ଅଞ୍ଚଳରେ ଡ୍ରେନ୍‌ ନିକଟରେ ସଫେଇ କାମ କରୁଥିବା ବେଳେ ଖସିପଡ଼ିବାରୁ ନରସିଂହା ରାଓ ନାମକ ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ମଧ୍ୟ କଟକ ସହରରେ ଡ୍ରେନ୍‌ରେ ପଡ଼ି ୪ ଜଣଙ୍କର ମୃତ୍ୟୁ ହୋଇସାରିଛି। ସମସ୍ୟା ଘେରରେ କଟକ ସହର । ଯେଉଁଥିରେ ଡ୍ରେନ୍ ଅସିୁବିଧା ମଧ୍ୟ ଆସୁଛି । ମୁକୁଳା ଡ୍ରେନ୍ ତଥା ନାଳ ସଫା ନ କରାଯିବା ଭଳି ଅନେକ ଘଟଣା ବିଗତ ଦିନରେ ସାମ୍ନାକୁ ଆସିଛି । ସେଗୁଡ଼ିକର ସମାଧାନ ନ କଲେ ଏଭଳି ଘଟଣା ଜୋଟିଏ ନିତିଦିନିଆ ଖବର ପାଲଟିଯିବ ।