ଦୁବାଇ ବୁଲିବାର ପ୍ଲାନ୍ କରୁଥିଲେ ହୋଇପାରେ ସମସ୍ୟା: ବଦଳିଲା ନିୟମ, ବାତିଲ ହୋଇଗଲା ଭାରତୀୟଙ୍କ ପର୍ଯ୍ୟଟନ ଭିସା

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପର୍ଯ୍ୟଟକଙ୍କ ପାଇଁ ଭିସା ନିୟମରେ ବଡ଼ ପରିବର୍ତ୍ତନ କରିଛି । ଭିସା ନିୟମରେ ପରିବର୍ତ୍ତନ ହେତୁ ଭାରତୀୟ ପର୍ଯ୍ୟଟକମାନେ ଭିସା ଆବେଦନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଦୁବାଇ ଯିବାକୁ ଭିସା ପାଇବା ଆଉ ସହଜ ନୁହେଁ । ପୂର୍ବରୁ ପ୍ରାୟ ୯୯ ପ୍ରତିଶତ ଭିସା ଆବେଦନ ଗ୍ରହଣ କରାଯାଇଥିଲା କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି । ଭିସା ଆବେଦନଗୁଡିକର ଖାରଜ ହାର ଯଥେଷ୍ଟ ବୃଦ୍ଧି ପାଇଛି ।

ଭିସା ଖାରଜ ହାର ବୃଦ୍ଧି ପାଇଛି :-
ପୂର୍ବରୁ ଭିସା ଆବେଦନଗୁଡିକର ଖାରଜ ହାର ୧-୨ ପ୍ରତିଶତ ଥିଲାବେଳେ ବର୍ତ୍ତମାନ ଏହି ହାର ଦୈନିକ ୫-୬ ପ୍ରତିଶତରେ ପହଞ୍ଚିଛି । ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ୧୦୦ ଟି ଭିସା ଆବେଦନ ମଧ୍ୟରୁ ୫-୬ ଭିସା ଆବେଦନ ପ୍ରତିଦିନ ଖାରଜ କରାଯାଉଛି । ଏହି ନୂତନ ପରିସ୍ଥିତି ଯୋଗୁଁ ପର୍ଯ୍ୟଟକମାନେ କେବଳ ଭିସା ଫି ହରାଉ ନାହାଁନ୍ତି, ବରଂ ସେ ପୂର୍ବରୁ କରିଥିବା ଫ୍ଲାଇଟ୍ ଟିକେଟ ଏବଂ ହୋଟେଲ ବୁକିଂରେ ମଧ୍ୟ ଆର୍ôଥକ କ୍ଷତିର ସମ୍ମୁଖୀନ ହେଉଛନ୍ତି ।

ନୂଆ ନିୟମ କ’ଣ :-
ୟୁଏଇ ଦ୍ୱାରା ଟୁରିଷ୍ଟ ଭିସା ଆବେଦନ ସଂପର୍କରେ କରାଯାଇଥିବା କଠୋର ନିୟମ ଅନୁଯାୟୀ ଯାତ୍ରୀମାନଙ୍କୁ ସେମାନଙ୍କ ରିଟର୍ନ ଟିକେଟ୍ ର ଏକ କପି ଇମିଗ୍ରେସନ ବିଭାଗର ୱେବସାଇଟରେ ଅପଲୋଡ୍ କରିବାକୁ ପଡ଼ିବ । ପୂର୍ବରୁ ବିମାନବନ୍ଦର ଅଧିକାରୀମାନେ ଏହି ଡକ୍ୟୁମେଣ୍ଟକୁ ଦେଖୁଥିଲେ । ପର୍ଯ୍ୟଟକମାନଙ୍କୁ ହୋଟେଲ ସଂରକ୍ଷଣର ପ୍ରମାଣ ଦେବାକୁ ପଡିବ । ଯଦି ପର୍ଯ୍ୟଟକମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ରହିବାକୁ ଯାଉଛନ୍ତି, ତେବେ ସେମାନଙ୍କୁ ମଧ୍ୟ ସେମାନଙ୍କ ରହିବାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଏହା ବ୍ୟତୀତ ପର୍ଯ୍ୟଟକମାନଙ୍କ ପାଖରେ ଦୁବାଇ ବୁଲିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ଥିବା ଆଶା କରାଯାଏ, କାରଣ ଏହି ପର୍ଯ୍ୟଟକମାନଙ୍କୁ ବ୍ୟାଙ୍କ ଷ୍ଟେଟମେଣ୍ଟ କିମ୍ବା ପ୍ରାୟୋଜକ ଚିଠି ଦେଖାଇବାକୁ ପଡିବ ।