ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପର୍ଯ୍ୟାବରଣ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଦିଗରେ ଯୋଗୀ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟକୁ ‘ଗ୍ରୀନ୍ ଷ୍ଟେଟ୍’ରେ ପରିବର୍ତ୍ତନ କରିବା ପାଇଁ ଯୋଗୀ ସରକାର ଅଣ୍ଟା ଭିଡ଼ିଛନ୍ତି । କ୍ଲୀନ୍ ଏନର୍ଜୀ ରୋଡ୍ ମ୍ୟାପକୁ ମଜବୁତ କରିବା ପାଇଁ ରାଜ୍ୟରେ ଜଳ ଜୀବନ ମିଶନ୍ ମାଧ୍ୟମରେ ୩୩ ହଜାର କୋଟିରୁ ଅଧିକ ପ୍ରକଳ୍ପରେ ସୌର ଶକ୍ତି ସଂଯୋଗ କରି ପାରମ୍ପରିକ ଉର୍ଜ୍ଜା ଖର୍ଚ୍ଚରେ ପ୍ରାୟ ୧୦ ହଜାର କୋଟି ସଞ୍ଚୟ କରିବାକୁ ଯୋଜନା ରହିଛି । ରାଜ୍ୟରେ ସାମ୍ପ୍ରତିକ ସ୍ଥିତିରେ ଜଳ ଜୀବନ ମିଶନର ୪୧ ହଜାର ପ୍ରକଳ୍ପର ପୋର୍ଟଫୋଲିଓ ରହିଛି । ଉତ୍ତର ପ୍ରଦେଶରେ ୩୩, ୨୨୯ ସୌର ଶକ୍ତି ଆଧାରିତ ଭୂତଳ ଜଳ ଯୋଜନା ଦ୍ୱାରା ରାଜ୍ୟ ବିଦ୍ୟୁତ ବିଲ୍ ହ୍ରାସ କରି ସାଧାରଣ ଜନତାଙ୍କ ଜୀବନକାଳ ମଧ୍ୟରେ ୧ ଟ୍ରିଲିୟ ଟଙ୍କା ସଞ୍ଚୟ କରିହେବ ବୋଲି ଆଶା କରାଯାଉଛି ।
ୟୁପିର ଏକ ସରକାରୀ ଅଧିକାରୀ କହିଛନ୍ତି ଯେ କ୍ଲୀନ୍ ଏନର୍ଜୀ ପଦକ୍ଷେପକୁ ସମର୍ଥନ କରିବା ପାଇଁ ୯୦୦ ମେଗାୱାଟର ମିଳିତ କ୍ଷମତା ବିଶିଷ୍ଟ ସୌର ପ୍ୟାନେଲ ସ୍ଥାପନ କରାଯାଇଛି । ଏହି ଉଦ୍ଭାବନକୁ କେନ୍ଦ୍ର ସରକାର ସର୍ବୋତ୍ତମ ଅଭ୍ୟାସ ଭାବରେ ବିବେଚନା କରିଛନ୍ତି । ସେ କହିଛନ୍ତି ଯେ ଏହା ଦେଶରେ ପରିବେଶ ଅନୁକୂଳ ଶାସନ ପାଇଁ ଏକ ଉଦାହରଣ ସୃଷ୍ଟି କରିବ । ଗ୍ରାମାଞ୍ଚଳରେ ଘରୋଇ କ୍ଷେତ୍ର କମ୍ପାନୀଗୁଡିକ ଦ୍ୱାରା ମାଇକ୍ରୋଗ୍ରିଡ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ, ଟାଟା ପାୱାରର ସହାୟକ କମ୍ପାନୀ ଟାଟା ପାୱାର ରିନ୍ୟୁଆଲ୍ ମାଇକ୍ରୋଗ୍ରିଡ୍ ୟୁପିରେ ମୋଟ ୪.୫ ମେଗାୱାଟ କ୍ଷମତା ବିଶିଷ୍ଟ ୧୫୦ ଟି ସୌର ଶକ୍ତି ଚାଳିତ ମାଇକ୍ରୋଗ୍ରିଡ୍ ସ୍ଥାପନ କରିଛି । ଏହି ମାଇକ୍ରୋଗ୍ରିଡ୍ ଗୁଡିକ ୧୫୦ ଟି ଗାଁକୁ ସେବା ଯୋଗାଇଥାଏ ଜ୍ଝ ଉତ୍ତରପ୍ରଦେଶ ଏନଟିପିସି, ତେହେରୀ ହାଇଡ୍ରୋ ଡେଭଲପମେଣ୍ଟ କର୍ପୋରେସନ ଏବଂ ସତଲଜ ଜଲ ବିଦ୍ୟୁତ ନିଗମଙ୍କ ସହଯୋଗରେ ଏକ ଭାସମାନ ସୌର ଶକ୍ତି କାରଖାନା ଆରମ୍ଭ କରିବାକୁ ଯୋଜନା କରୁଛି । ୨୦୨୭ ସୁଦ୍ଧା ରାଜ୍ୟ ୧୪,୦୦୦ ମେଗାୱାଟ ସୌର ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ।