EPF ଆକାଉଣ୍ଟରୁ ଟଙ୍କା ଉଠାଇବା ଆହୁରି ସହଜ ହେବ, ଜାଣନ୍ତୁ କେବେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ସଦସ୍ୟମାନେ ଖୁବ୍ ଶୀଘ୍ର ଏଟିଏମ୍ ଜରିଆରେ ସେମାନଙ୍କ ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ । ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବ ସୁମିତ୍ରା ଦାୱରା ଏ ନେଇ ସୂଚନା ଦେଇଛନ୍ତି । ଇପିଏଫଓ ହେଉଛି ସେହି ଅନୁଷ୍ଠାନ ଯାହା ଭବିଷ୍ୟନିଧି ପାଣ୍ଠି ଅର୍ଥାତ୍ କର୍ମଚାରୀଙ୍କ ପିଏଫ ଏବଂ ପେନସନ ଆକାଉଣ୍ଟ ପରିଚାଳନା କରିଥାଏ । ଏକ କାର୍ଯ୍ୟକ୍ରମରେ ସୁମିତ୍ରା ଦାୱରାଙ୍କୁ ଏଟିଏମ୍ ଜରିଆରେ ପିଏଫ ଟଙ୍କା ଉଠାଇବା ନେଇ ପ୍ରଶ୍ନ ପଚରାଯାଇଥିଲା ।

ଏହାର ଜବାବରେ ସେ କହିଛନ୍ତି, ଜାନୁଆରୀରେ ଇପିଏଫଓରେ ଆଇଟି ୨.୦ ସଂସ୍କରଣ ଲାଗୁ ହେବା ପରେ ସମସ୍ତ ଦାବିର ସମାଧାନ ଆହୁରି ଦ୍ରୁତ ଗତିରେ ହେବ । ଆମେ ଏହାକୁ ଆହୁରି ସହଜ କରିବୁ ଯାହା ଦ୍ୱାରା ଉପଭୋକ୍ତାମାନେ ଏଟିଏମରୁ ମଧ୍ୟ ସେମାନଙ୍କ ଦାବି ସଂଗ୍ରହ କରିବାକୁ ସକ୍ଷମ ହେବେ । ସୁମିତ୍ରା ଦାୱରାଙ୍କ କହିବା ଅନୁଯାୟୀ, ୨୦୨୫ ଜାନୁଆରିରୁ ଇପିଏଫଓରେ ଏକ ବଡ଼ ପରିବର୍ତ୍ତନ ହେବ। ଆମେ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି କରୁଛୁ ।

ଏଥିସହିତ ଏହି ପ୍ରକ୍ରିୟାକୁ ମଧ୍ୟ ସହଜ କରାଯାଉଛି। ଇପିଏଫଓକୁ ଆହୁରି ଉନ୍ନତ କରିବା ଉପରେ ଆମର ଫୋକସ ରହିଛି । ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବ କହିଛନ୍ତି, ଆମେ ଦାବି ସମାଧାନ ମଧ୍ୟ ବୃଦ୍ଧି କରିଛୁ । ଅନେକ ଅନାବଶ୍ୟକ ପ୍ରକ୍ରିୟା ମଧ୍ୟ ହଟାଇ ଦିଆଯାଇଛି। ଆମର ଆକାଂକ୍ଷା ହେଉଛି ଇପିଏଫଓ ଭଳି ବ୍ୟାଙ୍କିଙ୍ଗରେ ସମାନ ଆଇଟି ବ୍ୟବସ୍ଥା କରିବା ।