WTC ଫାଇନାଲରେ ପହଞ୍ଚିବ କି ଭାରତ? କେମିତି ସୁଯୋଗ ପାଇବ ରୋହିତ ସେନା? ଜାଣନ୍ତୁ ସମୀକରଣ

ଓଡ଼ିଶା ଭାସ୍କର: ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ୍ ପୂର୍ବରୁ ଏହାର ରୋମାଞ୍ଚ ଶିଖରରେ ପହଞ୍ଚିଛି । ପଏଣ୍ଟ ଟେବୁଲରେ ଦେଖିବାକୁ ମିଳିଛି ଏକ ବଡ଼ ପରିବର୍ତ୍ତନ । ଦୀର୍ଘ ଦିନରୁ ଭାରତ ଶୀର୍ଷ ସ୍ଥାନ କବଜା କରିଥିବା ବେଳେ ଗୋଟିଏ ମ୍ୟାଚ୍ ଦଳକୁ ୩ ନମ୍ବରକୁ ଖସାଇ ଆଣିଛି । ଆଡିଲେଡ ଟେଷ୍ଟ ପରାଜୟ ପରେ ଫାଇନାଲ ଦୌଡ଼ରେ ବର୍ତ୍ତମାନ ୩ ନମ୍ବରରେ ରହିଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଭାରତକୁ ପଛରେ ପକାଇ ଖୁବ ଆଗକୁ ଚାଲିଯାଇଛନ୍ତି । ଏହାପରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ୍ ଭାରତ ପାଇଁ ଖୁବ ଦୂରରେ ବୋଲି କୁହାଯାଉଛି । ଭାରତ ଫାଇନାଲ ମ୍ୟାଚ୍ ଖେଳିପାରିବ କି ନାହିଁ, ସେ ନେଇ ଏବେ ଆଶଙ୍କା ଦେକାଦେଇଛି ।

ନିର୍ଣ୍ାୟକ ସ୍ଥିତିରେ ଡବ୍ଲ୍ୟୁଟିସି ଫାଇନାଲର ଟିକେଟ । ତେବେ କହିବାକୁ ଗଲେ, ଭାରତ ଏବେ ବି ଫାଇନାଲରେ ନିଜର ସ୍ଥାନ ହାସଲ କରିପାରିବ । କିନ୍ତୁ ଏଥିପାଇଁ ଭାରତକୁ ଏକ ଚମତ୍କାରର ଆବଶ୍ୟକ ରହିଛି । ତେବେ କ’ଣ ରହିଛି ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲର ସମୀକରଣ? ଫାଇନାଲରେ କେମିତି ପହଞ୍ଚିପାରିବ ରୋହିତ ସେନା ଆସନ୍ତୁ ତା’ ଉପରେ ନଜର ପକାଇବା ।

ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚରେ ନିରାଶଜନକ ପ୍ରଦର୍ଶନ କରି ଶୋଚନୀୟ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ । ଏହାପରେ ଏବେ ଡବ୍ଲ୍ୟୁଟିସି ଫାଇନାଲରେ ଭାରତ ପହଞ୍ଚିବା କଷ୍ଟସାଧ୍ୟ ହୋଇପଡିଛି । ଏକଦା ଫାଇନାଲର ଟିକେଟ ଭାରତ ହାତେଇବ ବୋଲି କୁହାଯାଉଥିଲା । ହେଲେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଠାରୁ ୩-୦ରେ ସିରିଜ ହାରିବା ପରେ ସବୁକିଛି ବଦଳି ଯାଇଛି । ଏବେ ଏମିତି କିଛି କରିପାରିଲେ ଟିମ୍ ଇଣ୍ଡିଆ ପହଞ୍ଚିପାରିବ ଫାଇନାଲରେ । ବର୍ଡର ଗାଭାସ୍କର ଟ୍ରଫିରେ ଏବେ ବଳକା ରହିଛି ୩ଟି ମ୍ୟାଚ । ସେଥି ମଧ୍ୟରୁ ଯଦି ଭାରତ ସବୁଥିରେ ବିଜୟ ହାସଲ କରେ ତେବେ ଟିମ୍ ଇଣ୍ଡିଆ ୬୪ ପ୍ରତିଶତ ନେଟ୍ ରନ୍ ରେଟ୍ ସହ ଫାଇନାଲ ଟିକେଟ୍ ହାତେଇବ ।

କିନ୍ତୁ ଯଦି ଭାରତ ୨ଟିରେ ବିଜୟ ଓ ଗୋଟିଏ ଡ୍ର ରଖେ, ଅର୍ଥାତ ୩-୧ରେ ଜିତେ, ତେବେ ଦଳ ୬୦ ପ୍ରତିଶତ ନେଟ୍ ରନ୍ ରେଟ୍ ସହ ୨ୟ ସ୍ଥାନରେ ରହିବ ଓ ଫାଇନାଲ ଖେଳିବ । ଅନ୍ୟ ବିକଳ୍ପ ଦେଖିଲେ ଭାରତ ଯଦି ଅଷ୍ଟ୍ରିଲିଆକୁ ୩-୨ରେ ପରାସ୍ତ କରିବ ତେବେ ଭାରତର ପଏଣ୍ଟ ରହିବ ୫୮.୭୭ । କିନ୍ତୁ ଏଥର ସିଧାସଳଖ ଫାଇନାଲର ପାଇଁ କ୍ୱାଲିଫାଏ କରିପାରିବନି ରୋହିତ ସେନା । ବରଂ ଅନ୍ୟ ଦଳ ଉପରେ ଭରସା କରିବାକୁ ପଡିବ ।