ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଅଚଳ ହୋଇ ପଡ଼ି ରହିଥିବା ସରକାରୀ ଜମି, ଘର ବା କୌଣସି ପରିତ୍ୟକ୍ତ ଅବସ୍ଥାରେ ରହିଥିବା ସରକାରୀ ସମ୍ପତ୍ତିକୁ ବ୍ୟବହାର ଉପଯୋଗୀ କରାଯିବ । ଦୀର୍ଘଦିନ ଧରି ପଡ଼ି ରହିଥିବା ଏହି ସବୁ ଜାଗାମାନଙ୍କରେ ପୁଣି ନୂଆ ହେବ । ସେଠାରେ ଦୋକାନ, କାଫେ ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ୧୧ଟି ବିଭାଗକୁ ଚିଠି ଲେଖାଯାଇଛି । ଡିସେମ୍ବର ୫ ତାରିଖରେ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ରାଜ୍ୟ ପୋଲିସ ବିଭାଗ ମୁଖ୍ୟ ଡିଜି, ଆଇଜି, ମୁଖ୍ୟ ନିର୍ବାଚନ କମିଶନ ଓ ଅଗ୍ନିଶମ ପରି ବିଭା ରହିଛି ।
ପୂର୍ବରୁ ମୁଖ୍ୟ ଶାସନ ସଚିବ ଆଲୋଚନା କରିଥିବା ନିଷ୍ପତ୍ତି ଆଧାରରେ ଯେଉଁଠି ସରକାରୀ ଜମି କାର୍ଯ୍ୟକ୍ଷମ ହୋଇ ନାହିଁ ବା ପରିତ୍ୟକ୍ତ ଅବସ୍ଥାରେ ରହିଛି, ସେହି ସବୁ ସ୍ଥାନଗୁଡ଼ିକୁ ଚିହ୍ନଟ କରି ରିପୋର୍ଟ ଦେବାକୁ ବିଭାଗୀୟ ମୁଖ୍ୟମାନଙ୍କୁ କୁହାଯାଇଛି । ଯେଉଁଠାରେ ଏହିପରି ସ୍ଥାନ ରହିଛି ସେହି ଜିଲ୍ଲା ଗସ୍ତରେ ଯାଇ ଆଲୋଚନା କରିବାର ଆବଶ୍ୟକତା ରହିଛି । ଏ ଦିଗରେ କିଭଳି ଆର୍ଥିକ ଅଭିବୃଦ୍ଧି ହୋଇପାରିବ ତା’ ଉପରେ ଗୁରୁତ୍ୱ ଦିଆଯିବ । କୌଣସି ଆର୍ଥିକ ଅଭିବୃଦ୍ଧି ହେଲା ଭଳି ବ୍ୟବସାୟିକକରଣ ପାଇଁ ଉପଯୋଗୀ ସ୍ଥାନର ଯାଞ୍ଚ ପରେ ତାହାକୁ ଭଡ଼ା ବା ଲିଜ୍ ଆକାରରେ ଲଗାଇବା ପାଇଁ ପ୍ରସ୍ତୁତ ହେବାକୁ ବିଭାଗୀୟ ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଏକ ଲିଷ୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି । ୧୫ଟି ସ୍ଥାନରେ ତେଲ ଟାଙ୍କି କରିବା ପାଇଁ ଜେଲ ଓ କଏଦୀ କାରାଗାର ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।