ବ୍ୟକ୍ତିର ଜୀବନ ଉପରେ ନାଁର ପ୍ରଭାବ, ସାମାନ୍ୟ ଭୁଲ ପାଇଁ ଦେବାକୁ ପଡିପାରେ ବହୁମୂଲ୍ୟ

ଓଡିଶା ଭାସ୍କର– ପିଲାର ଜନ୍ମ ପରିବାରକୁ ଆଣେ ଅସୁମାରୀ ଖୁସି । ତାର ନାମକରଣ ପାଇଁ ପରିବାର ଲୋକଙ୍କ ଭିତରେ ଆରମ୍ଭ ହୋଇଯାଏ ଖଟାମିଠା ଟଣାଓଟରା । ସମସ୍ତେ ଚାହଁନ୍ତି ନିଜ ପସନ୍ଦର ନାଁ ଦେବାକୁ । ହେଲେ ପିଲାର ନାମ ଦେବା କୌଣସି ଖେଳଘର ନୁହେଁ । ଏଥିରେ ସାମାନ୍ୟତମ ଭୁଲ ପିଲାର ସାରା ଜୀବନକୁ ଦୁଃଖ ଭିତରକୁ ଟାଣିନେବ । ତେଣୁ ପିଲାର ନାମକରଣ ବେଳେ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ।

ଅନେକ ସମୟରେ ନିଆରା ନାଁ ଦେବାକୁ ଯାଇ ଆମେ ଅତି କଠିନ ଶବ୍ଧ ବା ନାଁ ବାଛୁ । ଯାହାର ଉଚାରଣ ସମସ୍ତଙ୍କ ପାଇଁ ସମ୍ଭବ ହୋଇ ନ ଥାଏ । ତେଣୁ ପରିବାରରୁ ଆରମ୍ଭ କରି ସ୍କୁଲ, କଲେଜ ଅଫିସରେ ପିଲାର ନାଁକୁ ବିକୃତ କରି ଦିଆଯାଏ । ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ପିଲାକୁ ବଡ ହେଲେ ଅନେକ ଅପମାନର ସମ୍ମୁଖୀନ ହେବାକୁ ପଡିଥାଏ ।

ଏହା ବ୍ୟତୀତ ଅନେକ ଅଭିଭାବକ ପିଲାର ନାଁ ବହୁତ ବଡ ଦେଇଥାନ୍ତି । ଏହା ପ୍ରାରମ୍ଭିକ ଅବସ୍ଥାରେ ପିଲା ପାଇଁ ମଧ୍ୟ କଷ୍ଟକର ହୋଇଥାଏ । ଅନେକ ସମୟରେ ଅଫିସିଆଲ ପେପର, ସ୍କୁଲ, କଲେଜ ପେପରରେ ଭୁଲ ବନାନ ହୋଇଯାଏ । ଫଳରେ ଏଥିପାଇଁ ଅନେକ ସମୟରେ ବହୁ ଅସୁବିଧା ଭୋଗିବାକୁ ହୋଇଥାଏ । ତେଣୁ ନାଁ ଦେବା ବେଳେ ଅତି ସରଳ, ସକାରାତ୍ମକ, ପ୍ରେରଣାଦାୟୀ ତଥା ଛୋଟ ନାଁ ଦେବା ଉଚିତ ।

ଏତଦବ୍ୟତୀତ, ଘରେ ଅନେକ ମଜା ପାଇଁ ପିଲାକୁ ଅତି ମଜାକିଆ ନାଁରେ ଡାକିଥାନ୍ତି । ଏମିତି ନାଁରେ ଘର ଲୋକ ଡାକିବା ଶୁଣି ବାହାର ଲୋକ, ସାଙ୍ଗ ସାଥୀ ମଧ୍ୟ ଡାକିବା ଆରମ୍ଭ କରନ୍ତି । ଫଳରେ ବଡ ହେବା ପରେ ବ୍ୟକ୍ତିଙ୍କୁ ଘରର ନାଁ ପାଇଁ ଅପମାନିତ ହେବାକୁ ହୋଇଥାଏ ।