ICC All Time Ranking: ଇତିହାସ ସୃଷ୍ଟି କଲେ ଷ୍ଟାର କ୍ରିକେଟର: ସଚିନଙ୍କ ରେକର୍ଡ ଭାଙ୍ଗିଲେ ହ୍ୟାରି ବ୍ରୁକ

ନୂଆଦିଲ୍ଲୀ: କ୍ରିକେଟ ମଇଦାନରେ ଲଗାତାର ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି ଇଂଲଣ୍ଡର ଷ୍ଟାର କ୍ରିକେଟର ହ୍ୟାରି ବ୍ରୁକ । କ୍ରିକେଟର ୩ଟି ଯାକ ଫର୍ମାଟରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରୁଛନ୍ତି ଷ୍ଟାର କ୍ରିକେଟର । ଦମଦାର ବ୍ୟାଟିଂ ସହ ଅନେକ ରେକର୍ଡ ଭାଙ୍ଗିବା ପରେ ଆଜି ଆଇସିସି ରାଙ୍କିଙ୍ଗରେ ଏକ ବଡ଼ କାରନାମା କରି ଦେଖାଇଛନ୍ତି ହ୍ୟାରି ବ୍ରୁକ । ବଡ଼ ବଡ଼ ଖେଳାଳି ଏହି କାରନାମା କରିବାରେ ଫେଲ ମାରିଥିବା ବେଳେ ହ୍ୟାରି ଏହି ଉପଲବ୍ଧି ହାସଲ କରିଛନ୍ତି । ଆଇସିସି ଅଲ୍ ଟାଇମ୍ ରାଙ୍କିଙ୍ଗରେ ଧମାକାଦାର ପ୍ରଦର୍ଶନ କରି ସେ ଅନେକ ଖେଳାଳିଙ୍କୁ ପଛରେ ପକାଇଛନ୍ତି । ସଚିନ ତେନ୍ଦୁଲକର, ଗ୍ରେଗ ଚାପେଲଙ୍କ ସହିତ ଷ୍ଟିଭ ୱ ଏବଂ ଏଣ୍ଡି ଫ୍ଲାୱରଙ୍କ ଭଳି ଭେଟେରାନ କ୍ରିକେଟରଙ୍କୁ ଅତିକ୍ରମ କରି ଇତିହାସ ସୃଷ୍ଟି କରିଛନ୍ତି ହ୍ୟାରି ବ୍ରୁକ ।

ଆଇସିସି ଅଲ୍ ଟାଇମ ରାଙ୍କିଙ୍ଗରେ ସଚିନ୍ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି ହ୍ୟାରି ବ୍ରୁକ । କ୍ରିକେଟ ଇତିହାସର ଭେଟେରାନ କ୍ରିକେଟରଙକ ତାଲିକାରେ ସଚିନ୍ ୮୯୮ ପଲଣ୍ଟ ସହ ୩୪ ତମ ସ୍ଥାନରେ ରହିଛନ୍ତି । ୨୦୦୨ ମସିହା ଫେବୃଆରୀ ୨୫ ତାରିଖରେ ଜିମ୍ବାୱେ ବିପକ୍ଷ ସିରିଜରେ ଏହି ପଏଣ୍ଟ ହାସଲ କରିଥିଲେ ସଚିନ୍ । କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ସମୟରେ ଏହି ପଏଣ୍ଟ ହାସଲ କରିବାରେ ସଫଳ ହୋଇଛନ୍ତି ହ୍ୟାରି ବ୍ରୁକ । ଏହି ତାଲିକାରେ ସଚିନଙ୍କ ସମକକ୍ଷ ହୋଇଥିବା ବେଳେ ହ୍ୟାରି ବ୍ରୁକ ଅନେକ ଖେଳାଳିଙ୍କୁ ପଛରେ ପକାଇବାରେ ମଧ୍ୟ ସଫଳ ହୋଇଛନ୍ତି ।

୨୦୨୪ରେ ହ୍ୟାରି ବ୍ରୁକଙ୍କ ପ୍ରଦର୍ଶନ ଖୁବ ଦମଦାର ରହିଛି । ଚଳିତବର୍ଷ ୧୧ଟି ମ୍ୟାଚରୁ ୬୧.୦୫ ହାରରେ ୪ ଶତକ ସହ ୧୦୯୯ ରନ୍ ସଂଗ୍ରହ କରିଛନ୍ତି । ଏଥିରୁ ୩ଟି ଶତକ ଗତ ୫ଟି ଟେଷ୍ଟରୁ ହାସଲ କରିଛନ୍ତି ହ୍ୟାରି । ମୁଲତାନ ଗାଉଣ୍ଡରେ ହାସଲ କରିଥିବା ଟ୍ରପଲ ସେଞ୍ଚୁରୀ, କ୍ରାଇଷ୍ଟଚର୍ଚ୍ଚରେ ୧୭୧ ଏବଂ ୱେଲିଂଟନରେ ୧୨୩ ରନର ଇନିଂସ ସାମିଲ ରହିଛି । ତେବେ ଚଳିତବର୍ଷ ସର୍ବାଧିକ ରନ୍ ହାସଲ କରିବା ତାଲିକାରେ ଶୀର୍ଷରେ ଜୋ ରୁଟ(୧୪୭୦ ରନ୍)ଙ୍କ ନାମ ରହିଥିବା ବେଳେ ଯଶସ୍ୱୀ ଜଏସ୍ୱାଲ(୧୧୩୪ ରନ୍) ଏବଂ ବେନ୍ ଡକେଟ(୧୧୩୪ ରନ୍) ରହିଛନ୍ତି ।

ଟେଷ୍ଟ ଇତିହାସରେ ପ୍ରଦର୍ଶନ ଏବଂ ନିରନ୍ତରତା ଅଧାରରେ ସାର୍ ଡନ୍ ବ୍ରାଡମ୍ୟାନ ସର୍ବକାଳୀନ ସର୍ବଶ୍ରେଷ୍ଠ ରାଙ୍କିଙ୍ଗରେ ଶୀର୍ଷରେ ରହିଛନ୍ତି । ଅଷ୍ଟ୍ରେଲିଆ, ଭାରତ ବିପକ୍ଷରେ ସାର ଡନଙ୍କ ପ୍ରଦର୍ଶନ ଆଧାରରେ ଆଇସିସି ତାଙ୍କୁ ୯୬୧ ପଏଣ୍ଟ ଦେଇଥିଲା । ସେହିପରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ୨୦୧୭ ମସିହାରେ ୯୪୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡର ଷ୍ଟାର ଲେନ୍ ହଟନ୍ ୬୪୫(୧୯୫୫) ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।