୨୦୨୪ରେ T-20ର ରାଜା କିଏ? ସୂର୍ଯ୍ୟକୁମାର ଯାଦବ ନୁହେଁ No.1 ଖେଳାଳି… ଜାଣନ୍ତୁ କିଏ?

ନୂଆଦିଲ୍ଲୀ: ୨୦୨୪ ମସିହାରେ ଭାରତ ଟି-୨୦ କ୍ରିକେଟରେ ଅନେକ ସଫଳତା ହାସଲ କରିଛି । ୧୭ ବର୍ଷ ଅପେକ୍ଷା ପରେ ୨୦୨୪ରେ ପୁଣିଥରେ ଟି-୨୦ ବିଶ୍ୱବିଜେତା ସାଜିଛି ଟିମ ଇଣ୍ଡିଆ । ତେବେ ଏହାପରେ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ସହ ବରିଷ୍ଠ ଖେଳାଳି ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜା ଅବସର ଘୋଷଣା କରିଛନ୍ତି । ତେବେ ଏହି ବର୍ଷରେ ଭାରତର କେଉଁ ଖେଳାଳି ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ହାସଲ କରିଛନ୍ତି? ସର୍ବାଧିକ ରନ୍ ହାସଲ କରିବାରେ ସୂର୍ଯ୍ୟକୁମାର ଯାଦବଙ୍କୁ ପଛରେ ପକାଇଛନ୍ତି ଏହି ଷ୍ଟାର କ୍ରିକେଟର ।

ତିଲକ ବର୍ମା: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଲଗାତାର ୨ଟି ଶତକ ହାସଲ କରି ଦମଦାର ପ୍ରଦର୍ଶନ କରିଛନ୍ତି ତିଲକ । ମାତ୍ର ୫ଟି ମ୍ୟାଚରେ ତିଲକ ସର୍ବାଧିକ ରନ୍ ହାସଲ କାରୀଙ୍କ ତାଲିକାରେ ନିଜ ସ୍ଥାନ ପକ୍କା କରିଛନ୍ତି । ୨୦୨୪ରେ ତିଲକ ୧୦୨ ହାରରେ ମୋଟ ୩୦୬ ରନ୍ କରି ଟପ୍-୫ରେ ରହିଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା: ରୋହିତଙ୍କ ପରେ ଟି-୨୦ ଅଧିନାୟକ ଭାବରେ ଖୁବ ଆଗରେ ରହିଥିଲେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । କିନ୍ତୁ ଗମ୍ଭୀର କୋଚ୍ ହେବା ପରେ ସୂର୍ଯ୍ୟକୁମାର ଯାଦବ ଏହି ପଦ ପାଇଛନ୍ତି । ତେବେ ହାର୍ଦ୍ଦିକ ନିଜ ବ୍ୟାଟିଂରେ କମାଲ କରି ଦେଖାଇବାରେ ସଫଳ ହୋଇଛନ୍ତି । ଟିମ ଇଣ୍ଡିଆ ପାଇଁ ବେଷ୍ଟ ଫିନିଶର ଭୂମିକାରେ ସେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ୨୦୨୪ ମସିହାରେ ହାର୍ଦ୍ଦିକ ମୋଟ ୩୫୨ ରନ୍ କରି ତାଲିକାର ଚତୁର୍ଥ ସ୍ଥାନ ଦଖଲ କରିଛନ୍ତି ।

ରୋହିତ ଶର୍ମା: ଟି-୨୦ ବିଶ୍ୱକପ୍ ପରେ ଏହି ଫର୍ମାଟର ବିଦାୟ ନେଇ ସାରିଛନ୍ତି ରୋହିତ ଶର୍ମା । କିନ୍ତୁ ସର୍ବାଧିକ ରନ୍ ହାସଲ କରିବା ତାଲିକାରେ ସେ ଏବେ ବି ଟପ୍-୫ରେ ସ୍ଥାନ ପାଇଛନ୍ତି । ରୋହିତ ୨୦୨୪ରେ ୩୭୮ ରନ୍ କରି ତୃତୀୟ ସ୍ଥାନରେ ରହିଛନ୍ତି ।

ସୂର୍ଯ୍ୟକୁମାର ଯାଦବ: ଟିମ ଇଣ୍ଡିଆର ଅଧିନାୟକ ତଥା ମିଷ୍ଟର ୩୬୦ ସୂର୍ଯ୍ୟକୁମାର ଯାଦବ ଏହି ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ୨୦୨୪ ମସିହାରେ ୪୨୯ ରନ୍ କରି ସୂର୍ଯ୍ୟକୁମାର ଏହି ସ୍ଥାନରେ ରହିଛନ୍ତି ।

ସଞ୍ଜୁ ସାମସନ୍: ରୋହିତଙ୍କ ଅବସର ପରେ ଟିମ ଇଣ୍ଡିଆ ସଞ୍ଜୁ ସାମସନଙ୍କୁ ନୂଆ ଓପନର ଭାବରେ ଦାୟିତ୍ୱ ଦେଇଛି । ତେବେ ଓପନିଂ କରିବା ବେଳେ ସାରା ଦୁନିଆ ଦେଖିଛି ସଞ୍ଜୁ ସାମସନ୍ ୨.୦ । ୨୦୨୪ରେ ସେ ଖୁବ କମ୍ ମ୍ୟାଚ ଖେଳିଥିବା ବେଳେ ଶେଷ ୫ଟି ମ୍ୟାଚରେ ତାଙ୍କର ପ୍ରଚଣ୍ଡ ରୂପ ଦେଖିବାକୁ ମିଳିଛି । ଏହି ୫ଟି ମ୍ୟାଚରୁ ୩ଟି ଶତକ ସହ ମୋଟ ୪୩୬ ରନ୍ ସଂଗ୍ରହ କରିଛନ୍ତି ସାମସନ୍ । ଏହାସହିତ ସମସ୍ତଙ୍କୁ ପଛରେ ପକାଇ ତାଲିକାର ଶୀର୍ଷ ସ୍ଥାନ କବଜା କରିବାରେ ସେ ସଫଳ ହୋଇଛନ୍ତି ।