ନୂଆଦିଲ୍ଲୀ: ‘ଦୁଇ ମିନିଟରେ ମ୍ୟାଗି ।’ ଭାରତୀୟ ବଜାରରେ ମ୍ୟାଗି ବିଜ୍ଞାପନର ଏହି ଟ୍ୟାଗ୍ ଲାଇନ୍ ବେଶ ଲୋକପ୍ରିୟତା ଅର୍ଜନ କରିଛି । ପଲ୍ଲୀରୁ ସହର, ପିଲାଙ୍କ ଠାରୁ ବୟସ୍କ ପ୍ରାୟ ସମସ୍ତଙ୍କ ପ୍ରିୟ ମ୍ୟାଗି । ମାତ୍ର କିଛି ମିନିଟରେ ଝଟପଟ୍ ପ୍ରସ୍ତୁତ ହୋଇଥାଏ ଏହି ଚଟପଟା ବ୍ୟଞ୍ଜନ । ଏହାକୁ ସକାଳ କିମ୍ବା ସନ୍ଧ୍ୟା ସ୍ନାକ୍ସ ଭାବେ ମଧ୍ୟ କିଛି ଲୋକମାନେ ସେବନ କରିଥାନ୍ତି । ଆସନ୍ତା ବର୍ଷରୁ କିନ୍ତୁ ମ୍ୟାଗି ଉପରେ ମହଙ୍ଗା ମାଡ଼ ପରିପାରେ । ଏହାର କାରଣ ହେଉଛି ନେସଲେ(Nestle କମ୍ପାନୀକୁ ଅଧିକ ଟିକସ ଦେବାକୁ ପଡ଼ିବ ।
ବାସ୍ତବରେ ୧୯୯୪ରେ ଭାରତ ଏବଂ ସ୍ୱିଜରଲାଣ୍ଡ ମଧ୍ୟରେ ଡବଲ ଟ୍ୟାକ୍ସେସନ୍ ଆଭଏଡାନ୍ସ ଆଗ୍ରିମେଣ୍ଟ(DTAA)ରେ ଉପସ୍ଥିତ ମୋଷ୍ଟ ଫେଭର୍ଡ଼ ନେସନ(MFN) କ୍ଲଜକୁ ୧ ଜାନୁଆରୀ, ୨୦୨୫ରୁ ସ୍ଥିଗିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଭାରତ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏହି ପଦକ୍ଷେପ ନିଆଯାଇଛି ଯେଉଁଥିରେ କୁହାଯାଇଛି କି ଆୟକର ଅଧିନିୟମ ଅନୁଯାୟୀ ସୂଚନା ନଦେଲେ DTAA କାର୍ଯ୍ୟକାରୀ ହେବ ନାହିଁ । ଏଭଳି ନିଷ୍ପତ୍ତିର ସିଧାସଳଖ ପ୍ରଭାବ ନେସଲେ ଭଳି ଅନ୍ୟାନ୍ୟ ସ୍ୱିସ୍ କମ୍ପାନୀ ଉପରେ ପଡ଼ିବ । ବର୍ତ୍ତମାନ ଏହି କମ୍ପାନୀଗୁଡ଼ିକୁ ଅଧିକ ଡିଭିଡେଣ୍ଟ ଦେବାକୁ ପଡ଼ିବ । ସ୍ୱିସ୍ ସରକାର ଏହାର ଏକ ବୟାନରେ କହିଛି, ‘MFN କ୍ଲଜକୁ ସ୍ଥଗିତ କରିବାର ମୁଖ୍ୟ କାରଣ ହେଉଛି ‘ରେସିପ୍ରୋସିଟି’ ଅର୍ଥାତ ପାରସ୍ପରିକତାରେ ଅଭାବ । ବର୍ତ୍ତମାନ ୨୦୨୫ ଜାନୁଆରୀ ୧ରୁ ଡିଭିଡେଣ୍ଟ ଉପରେ ସୋର୍ସ ଷ୍ଟେଟରେ ୧୦% ଟିକସ ଲାଗୁ ହେବ । ସ୍ୱିସ୍ ସରକାରଙ୍କ ଏଭଳି ନିଷ୍ପତ୍ତି ଭାରତୀୟ ବଜାରରେ ପୁଞ୍ଜି ନିବେଶକୁ ପ୍ରଭାବିତ କରିପାରେ ଯେଉଁଥିରେ ୟୁରୋପୀୟ ମୁକ୍ତ ବିଣିଜ୍ୟ ସଂଘ(EFTA) ଅଧିନରେ ୧୦୦ ବିଲିୟନ୍ ଆରବ ଡଲାର ପୁଞ୍ଜି ବିନିଯୋଗର ପ୍ରସ୍ତାବ ଦିଆଯାଇଛି ।’