ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଶହରର ମହିଳାଙ୍କୁ ‘ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା’ ଅନ୍ତର୍ଗତ ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ଶୁକ୍ରବାର ଘୋଷଣା କରିଛନ୍ତି । ଏନେଇ ସରକାର ପଞ୍ଜିକରଣ ପ୍ରକ୍ରିୟା ଉପରେ କାର୍ଯ୍ୟ କରୁଛନ୍ତି । ଆସନ୍ତା ୭-୧୦ ଦିନ ମଧ୍ୟରେ ଆତିଶୀ ଏହି ଯୋଜନା କାର୍ଯ୍ୟକାରୀ କରିବେ । ଅପରପକ୍ଷରେ ଆପ୍ ପ୍ରମୁଖ ଅରବିନ୍ଦ କେଜରିୱାଲ କ୍ଷମତାକୁ ଫେରିଲେ ଏହି ଯୋଜନା ଅନ୍ତର୍ଗତ ମହିଳାଙ୍କୁ ୨୧୦୦ ଟଙ୍କା ପ୍ରଦାନ କରାଯିବା ନେଇ ଗୁରୁବାର କହିଥିଲେ ।
‘ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା’କୁ ନେଇ ଆତିଶୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ‘ଏହି ଯୋଜନା ମହିଳା ସଶକ୍ତିକରଣ ଦିଗରେ ମାସିକ ୧ ହଜାର ଟଙ୍କା ପ୍ରଦାନ କରାଯିବା ନେଇ ସରକାରଙ୍କ ପ୍ରତିଶ୍ରୁତିକୁ ସୂଚାଉଛି । ବିରୋଧୀ ଦଳ ପକ୍ଷରୁ ଏହି ପଦକ୍ଷେପରେ ବାଧା ଦେବା ପାଇଁ ସମସ୍ତ ଚେଷ୍ଟା କରିଥିଲେ । ଏହା ସତ୍ତ୍ୱେ ଆମେ ସଫଳତାପୂର୍ବକ ଏହି ଯୋଜନାକୁ ଲାଗୁ କରିଛୁ ।’ ସେ ଆହୁରି ମଧ୍ୟ କହିଛନ୍ତି କି ଏହି ଯୋଜନାର ଉଦ୍ଦେଶ୍ୟ ମହିଳାଙ୍କୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବା ଏବଂ ନିଶ୍ଚିତ କରିବା କି ସେମାନେ ଦୈନନ୍ଦିନ ଜୀବନରେ ନିଜ ଛୋଟ ଛୋଟ ଆବଶ୍ୟକତା ପାଇଁ ପରିବାର ସଦସ୍ୟଙ୍କ ଉପରେ ନିର୍ଭରଶୀଳ ନ ରୁହନ୍ତୁ ।
କେଉଁ ମହିଳା ଏହି ଯୋଜନାରୁ ବଞ୍ଚିତ ରହିବେ ?
ବର୍ତ୍ତମାନ କିମ୍ବା ପୂର୍ବତନ ସ୍ଥାୟୀ ସରକାରୀ କର୍ମଚାରୀ, ମହିଳା ସାଂସଦ, ବିଧାୟକ, କାଉନସିଲର, ଗତ ଆର୍ଥିକ ବର୍ଷରେ ଆୟକର ପୈଠ କରୁଥିବା ଏବଂ ପୂର୍ବରୁ କୌଣସି ପ୍ରକାର ପେନସନ ଭୋଗୀ ମହିଳା ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ବୋଲି ଆତିଶୀ କହିଥିଲେ । ଏହା ବ୍ୟତୀତ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ମହିଳା ଏହି ଯୋଜନାର ଲାଭ ଉଠାଇପାରିବେ ।