‘ଘୁଗୁନି’ ଖାଇ ବାଃ ବାଃ କଲେ ଜେଫ୍ ବେଜୋସ୍…..ଓଡିଶାରୁ ଯାଇ ବିଦେଶରେ ନାଁ କଲାଣି ‘ଘୁଗୁନି ଚାଟ୍’

ନ୍ୟୁୟର୍କ: ଅନଲାଇନ୍ ସପିଂ ଆପ୍ ଆମାଜନର ମାଲିକ ଜେଫ୍ ବେଜୋସ୍ ଓଡ଼ିଶାର ଘୁଗୁନି ଖାଇ ପ୍ରଶଂସା କରିଛନ୍ତି । ନିକଟରେ ଜେଫ୍ ବେଜୋସ୍ ଏବଂ ତାଙ୍କ ପାର୍ଟନର ଲରେନ ସାନଚେଜ୍ ଭାରତର ସେଲିବ୍ରିଟି ସେଫ୍ ବିକାଶ ଖନ୍ନାଙ୍କ ରେଷ୍ଟୁରାଣ୍ଟ ଯାଇଥିଲେ । ନ୍ୟୁୟର୍କ ସ୍ଥିତ ବିକାଶଙ୍କ ରେଷ୍ଟୁରାଣ୍ଟରେ ଜେଫଙ୍କ ପାଇଁ ବଡ଼ ଆୟୋଜନ ମଧ୍ୟ କରାଯାଇଥିଲା । ଖାଦ୍ୟର ତାରିଫ କରିବା ସହ ଜେଫ୍ ବିକାଶଙ୍କ ରେଷ୍ଟୁରାଣ୍ଟର ମଧ୍ୟ ବଡ଼ ପ୍ରଶଂସା କରିଛନ୍ତି । ରେଷ୍ଟୁରାଣ୍ଟକୁ ସେ ତୀର୍ଥସ୍ଥାନ ବୋଲି କହିଛନ୍ତି ।

ଏ ନେଇ ସେଫ୍ ବିକାଶ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରିଛନ୍ତି । ଜେଫଙ୍କ ପାଇଁ ବିକାଶ ଭାରତର ବିଭିନ୍ନ ରାଜ୍ୟର ଖାଦ୍ୟକୁ ପରସି ଥିଲେ । ଯେଉଁଥିରେ ଓଡ଼ିଶାର ଘୁଗୁନି ଚାଟ୍ ବି ସାମିଲ ଥିଲା । ଯାହା ଜେଫଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଥିଲା । ଏହାବ୍ୟତୀତ ବେଙ୍ଗଲି କସୁନ୍ଦି ତନ୍ଦୁରୀ ଆଭୋକାଡୋ, ବିହାରି ସତୁ ରୋଟି, ଉଡୁପିର ଆନ୍ନାନାସ ମେନାସକାଇ, ଗୁଜୁରାଟର ତିନ୍ଦୋରା ଆଚାର, ଇନ୍ଦୋର ହଦି କବାବ୍, ଚିକେନ ଅନାରକଲୀ, ଗୋଲାପଜାମୁନ ଆଇସକ୍ରିମ୍ ଏବଂ ମାଣ୍ଡିଆ କେକ୍ ପରସା ଯାଇଥିଲା । ଆଉ ଶେଷରେ ଅହମଦାବାଦର ପାନମଧୁରୀ ଜେଫ୍ ଖାଇଥିଲେ । ଜେଫଙ୍କ ପୂର୍ବରୁ ବଲିଉଡ୍ ଅଭିନେତା ଶାହରୁଖ ଖାନ୍ ବିକାଶଙ୍କ ରେଷ୍ଟୁରାଣ୍ଟକୁ ନିକଟରେ ଯାଇ ଖାଇବାର ମଜା ଉଠେଇଥିଲେ ।